ଫରେଷ୍ଟର ବିପିନ କୁମାର ହରିଜନ ସସପେଣ୍ଡ

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ସସ୍‌ପେଣ୍ଡ

ନବରଙ୍ଗପୁର, ୧୯/୦୯: ବେଆଇନ ଭାବେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ବନଖଣ୍ଡର ଫରେଷ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧି ସସ୍‌ପେଣ୍ଡ କରିଛନ୍ତି।

ଅଭିଯୋଗ ଅନୁସାରେ, ବିପିନ କୁମାର ହରିଜନ ପୂର୍ବରୁ ଝରିଗାଁ ରେଞ୍ଜ ଅଧୀନ ମୋହରା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ଅନୁମତି ବିନା ଇୟୁକାଲିପଟସ୍‌ ଗଛ କଟାଯାଇଥିଲା। ବନ ବିଭାଗର ତଦନ୍ତରେ ଏହି ଘଟଣାରେ ପ୍ରାଥମିକ ଭାବେ ଅନିୟମିତତା ଥିବା ଜଣାପଡିଥିଲା।

ଏହାସହ ହରିଜନଙ୍କ ବିରୋଧରେ ବେଆଇନ ଆର୍ଥିକ କାରବାରର ପ୍ରମାଣ ମିଳିଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଝରିଗାଁ ରେଞ୍ଜର ଭାରପ୍ରାପ୍ତ ଏଫଆରଓଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗୀୟ କର୍ତ୍ତୃପକ୍ଷ ମାମଲାଟିକୁ ଗୁରୁତ୍ୱର ସହ ନେଇଛନ୍ତି। ଅଭିଯୋଗ ଉପରେ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ସନ୍ତୋଷଜନକ ଦେଇନଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଛି।ନିଲମ୍ବନ ଅବଧିରେ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।