ଭୁବନେଶ୍ୱର, ୧୯/୦୯: ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଜି ସନ୍ଧ୍ୟା ସୁଦ୍ଧା ସେହି ସ୍ଥାନରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପରବର୍ତ୍ତୀ ୩ ରୁ ୪ ଦିନ ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ। ପରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହା ବାତ୍ୟାରେ ପରିଣତ ହେବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିନ୍ତୁ ଯଦି ବାତ୍ୟା ହୁଏ ତାର ନାଁ ରହିବ ‘ଅର୍ଣ୍ଣବ’।
ତେବେ ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ସେପ୍ଟେମ୍ବର ୨୨ ପରଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସେପ୍ଟେମ୍ବର ୨୩ ଓ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ପ୍ରାଥମିକ ଚେତାବନୀ ମଧ୍ୟ ଦିଆଯାଇଛି।