ସମାବେଶୀ ଓ ସନ୍ତୁଳିତ ଶିଳ୍ପାୟନ ରାଜ୍ୟର ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବ।” : ଡଃ ତପନ ଚାନ୍ଦ
‘ବର୍ତ୍ତମାନର ସରକାରଙ୍କ ଶିଳ୍ପାୟନର ଗତି ପୂର୍ବତନ ସରକାର ତୁଳନାରେ ଦୁଇ ଗୁଣରୁ ଅଧିକ’
ଭୁବନେଶ୍ୱର, ୧୯/୦୯: ପୂର୍ବତନ ନାଲକୋ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଏବଂ ବିଜେପି ଶିଳ୍ପ ପ୍ରକୋଷ୍ଠର ସଂଯୋଜକ ଡଃ ତପନ ଚାନ୍ଦ ଓଡ଼ିଶାର ଶିଳ୍ପାୟନ ସମ୍ପର୍କରେ ନିଜର ମତ ରଖି କହିଛନ୍ତି ଯେ, ପୂର୍ବତନ ବିଜେଡି ସରକାରଙ୍କ ସମୟରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଧୀର ଓ ସ୍ଥବିର ହୋଇପଡ଼ିଥିଲା। ପୁରୁଣା ଧାତୁ ଓ ଖଣିଜ ଭିତ୍ତିକ ଶିଳ୍ପ ଉପରେ ହିଁ ଅଧିକ ଗୁରୁତ୍ୱ ରହିଥିବାରୁ ରାଜ୍ୟର ଶିଳ୍ପ ଭିତ୍ତି ଅସନ୍ତୁଳିତ ହୋଇପଡ଼ିଥିଲା। ଫଳରେ କେବଳ ୫ରୁ ୬ଟି ଜିଲ୍ଲାରେ ହିଁ ଶିଳ୍ପାୟନ ସୀମିତ ରହିଥିଲା।
୨୦୨୪ ପର୍ଯ୍ୟନ୍ତ ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ଥିବାବେଳେ, ନୂତନ ବିଜେପି ସରକାରଙ୍କ ଦ୍ୱାରା ଶିଳ୍ପ ନୀତିର ପୁନର୍ଜୀବନ କରାଯାଇଛି। ଏହା ଫଳରେ ଓଡ଼ିଶାର ଶିଳ୍ପ ଭିତ୍ତି ବିବିଧମୟ ହୋଇଛି। ସେମିକଣ୍ଡକ୍ଟର, ଏଆଇ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍, ରେୟାର ଆର୍ଥ, ନବୀକରଣୀୟ ଶକ୍ତି, ଗ୍ରୀନ୍ ଏନର୍ଜି, ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ, ଏରୋସ୍ପେସ୍ ଓ ଡିଫେନ୍ସ, ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର, ଲଜିଷ୍ଟିକ୍ସ, ଟେକ୍ସଟାଇଲ୍ ପାର୍କ, ଫାର୍ମାସ୍ୟୁଟିକାଲ୍ସ ଆଦି ନୂତନ ଯୁଗର ଶିଳ୍ପ କ୍ଷେତ୍ର ଓଡ଼ିଶାର ଶିଳ୍ପ ଭିତ୍ତିକୁ ନୂଆ ଦିଗ ଦେଇଛି। ଏହା ଫଳରେ ରୋଜଗାରର ସମ୍ଭାବନା ପ୍ରାୟ ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ସମୟରେ ଅନେକ ନୂତନ ଯୁଗର ଶିଳ୍ପ ସଂସ୍ଥା ଭାରତରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାର ପରିଣାମସ୍ୱରୂପ ₹୨.୪୩ ଲକ୍ଷ କୋଟିର ନିବେଶ ଆସିବା ସହିତ ପ୍ରାୟ ୮.୯୫ ଲକ୍ଷ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି।
ପୂର୍ବତନ ସରକାରଙ୍କ ଦ୍ୱିତୀୟ ସବୁଠାରୁ ଗୁରୁତର ଅଭାବକୁ ଦର୍ଶାଇ ଡଃ ଚାନ୍ଦ କହିଛନ୍ତି ଯେ, ଶିଳ୍ପାୟନର ପ୍ରକ୍ରିୟା ଅତ୍ୟନ୍ତ ଧୀର ଗତିରେ ଚାଲିଥିଲା। ଏହି କାରଣରୁ POSCOର ବୃହତ୍ ନିବେଶ ପ୍ରକଳ୍ପ ଏବଂ ନବରତ୍ନ କମ୍ପାନୀ NALCOର ଗୁରୁତ୍ୱପୂର୍ଣ୍ଣ Caustic Soda Plant ଭଳି ପ୍ରକଳ୍ପ ରାଜ୍ୟରେ ସ୍ଥାପିତ ହୋଇପାରିନଥିଲା।
ବର୍ତ୍ତମାନର ସରକାରଙ୍କ ଶିଳ୍ପାୟନର ଗତି ପୂର୍ବତନ ସରକାର ତୁଳନାରେ ଦୁଇ ଗୁଣରୁ ଅଧିକ ବୋଲି ସେ କହିଛନ୍ତି। ସମସ୍ତ ଅନୁମୋଦନ ପରେ ଭୂମିପୂଜନ ହୋଇ ପ୍ରକଳ୍ପଗୁଡ଼ିକ ଭୂମିସ୍ତରରେ ଆରମ୍ଭ ହେବାର ସଂଖ୍ୟାରୁ ଏହା ସ୍ପଷ୍ଟ ହେଉଛି। ବିଜେଡି ସରକାରଙ୍କ ସମୟରେ ହାରାହାରି ପ୍ରତିବର୍ଷ ୩୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେଉଥିବା ବେଳେ, ବିଜେପି ସରକାରଙ୍କ ସମୟରେ ଏହା ଦ୍ୱିଗୁଣିତରୁ ଅଧିକ ହୋଇ ପ୍ରତିବର୍ଷ ୭୫ରୁ ଅଧିକରେ ପହଞ୍ଚିଛି। ଏହି ତଥ୍ୟ ଦ୍ୱାରା ବର୍ତ୍ତମାନ ରାଜ୍ୟରେ ଶିଳ୍ପାୟନ କେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ତାହା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।
ଶିଳ୍ପାୟନ ସମ୍ପର୍କରେ ତୃତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ଦର୍ଶାଇ ଡଃ ଚାନ୍ଦ କହିଛନ୍ତି ଯେ, ପୂର୍ବତନ ବିଜେଡି ସରକାର ଖଣିଜ ସମ୍ପଦର ମୂଲ୍ୟଯୋଗ (Value Addition) ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇନଥିଲେ। ଏହାର ପରିଣାମସ୍ୱରୂପ ରାଜ୍ୟର ଖଣିଜ ସମ୍ପଦର ଅବକ୍ଷୟ ଘଟିଥିଲା ଏବଂ କେତେକ ଲୁହାପଥର ଖଣି ପ୍ରାୟ ଶେଷ ହୋଇଯାଇଥିଲା।
ବର୍ତ୍ତମାନର ସରକାର ଖଣିଜ ସମ୍ପଦର ମୂଲ୍ୟଯୋଗ ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ଡଃ ଚାନ୍ଦ ମତ ପ୍ରକାଶ କରିଛନ୍ତି।
ସାରାଂଶରେ ସେ କହିଛନ୍ତି ଯେ, ବର୍ତ୍ତମାନର ଶିଳ୍ପାୟନ ପ୍ରକ୍ରିୟା ସମାବେଶୀ, ସନ୍ତୁଳିତ ଓ ସର୍ବବ୍ୟାପୀ ହୋଇଛି।