ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୪ ଦିନ ପ୍ରବଳ ବର୍ଷିବ

ଆଜି ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ

ଭୁବନେଶ୍ୱର, ୧୯/୦୯: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହା କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ପାଣିପାଗ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଏହି ସୃଷ୍ଟ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଅଧିକ ଘନୀଭୂତ ହେବ। ୨୧ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେବ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି।

ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜର ଗତି ଜାରି ରଖି ଉପକୂଳ ମୁହାଁ ହେବ। ୨୩ ତାରିଖ ସକାଳ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଅତି ନିକଟତର ହେବ।

ଏହାର ପ୍ରଭାବରେ ରାଜ୍ୟରେ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।