ଅଧା ବାଟରେ ୧୦୮ ଆମ୍ବୁଲାନ୍ସର ଚକା ଜାମ୍

ଜୀବନ ବଞ୍ଚାଇବାର ସେବାରେ ନିଜେ କାହିଁକି ଅସହାୟ,ବିତିଗଲା ମୂଲ୍ୟବାନ ସମୟ

ରୋଗୀଙ୍କୁ ନେଇ ଯାଉଥିବା ବେଳେ ଅଚଳ, ଅନ୍ୟ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ଅପେକ୍ଷା

ଲକ୍ଷ୍ମୀପୁର, ୧୯/୦୯: ଜରୁରୀ ସମୟରେ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ହେଉଛି ଜୀବନରକ୍ଷାକାରୀ ସେବା। ଗାଁରୁ ଡାକ୍ତରଖାନା ଏବଂ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଉନ୍ନତ ଚିକିତ୍ସା କେନ୍ଦ୍ରକୁ ରୋଗୀ ସ୍ଥାନାନ୍ତରରେ ଏହାର ଗୁରୁତ୍ୱ ଅତ୍ୟଧିକ। ହେଲେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଯଦି ଅଧା ବାଟରେ ଅଚଳ ହୋଇଯାଏ, ତେବେ ଜରୁରୀ ସ୍ୱାସ୍ଥ୍ୟସେବାର ଭରସାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ଆଜି ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରୁ ଜଣେ ୧୪ ବର୍ଷୀୟା ଝିଅଙ୍କୁ ମୁଣ୍ଡଜନିତ ସମସ୍ୟା ଯୋଗୁଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ତାଙ୍କ ସହ ବାପା ଚାନ୍ଦ୍ରସେନା ଗାଣ୍ଠା ଓ ମାଆ ମଧ୍ୟ ଥିଲେ।

ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମୀପୁରଠାରୁ ପ୍ରାୟ ୫ କିମି ପୂର୍ବରୁ ପାଣ୍ଡକାପଦର ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସର ପଛ ଚକା ଜାମ୍ ହୋଇଯାଇଥିଲା। ଚାଳକ ଓ ସହଯୋଗୀ ଗାଡ଼ିକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରୋଗୀଙ୍କୁ କୋରାପୁଟ ନିଆଯାଇଥିଲା। ତେବେ ଏହି ପ୍ରକ୍ରିୟାରେ ମୂଲ୍ୟବାନ ସମୟ ବିତିଯାଇଥିଲା।

ଜରୁରୀ ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟେକ ମିନିଟ୍‌ର ଗୁରୁତ୍ୱ ରହିଛି। ଏଭଳି ସମୟରେ ଆମ୍ବୁଲାନ୍ସ ଅଧା ବାଟରେ ଅଚଳ ହୋଇଯିବା କେବଳ ରୋଗୀ ଓ ପରିବାର ପାଇଁ ଯନ୍ତ୍ରଣାଦାୟକ ନୁହେଁ, ଜରୁରୀ ସ୍ୱାସ୍ଥ୍ୟସେବାର ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛି।

ବିଶେଷକରି ପାହାଡ଼-ଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ ଅଞ୍ଚଳରେ ଦୂରଦୂରାନ୍ତରୁ ରୋଗୀଙ୍କୁ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ନେବାକୁ ପଡ଼ିଥାଏ। ରାତି ସମୟରେ ଯଦି ଏଭଳି ଗାଡ଼ି ଅଚଳ ହୋଇଯାଏ, ତେବେ ରୋଗୀଙ୍କ ସହ ପରିବାର ଓ ଆମ୍ବୁଲାନ୍ସ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି।

ଏଭଳି ଘଟଣା ପରେ ଏବେ ମୁଖ୍ୟ ପ୍ରଶ୍ନ ହେଉଛି—ରୋଗୀଙ୍କୁ ନେଇ ବାହାରିବା ପୂର୍ବରୁ ୧୦୮ ଆମ୍ବୁଲାନ୍ସର ସମ୍ପୂର୍ଣ୍ଣ ଯାନ୍ତ୍ରିକ ଯାଞ୍ଚ ହେଉଛି କି? ଗାଡ଼ିଗୁଡ଼ିକର ନିୟମିତ ଫିଟନେସ୍ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା କେତେ ଦୃଢ଼? ଏବଂ ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ଅଚଳ ହେଲେ ତୁରନ୍ତ ବିକଳ୍ପ ବ୍ୟବସ୍ଥା ପାଇଁ କ’ଣ ପ୍ରୋଟୋକଲ ରହିଛି?

ରୋଗୀଙ୍କ ଜୀବନ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ସେବାରେ ଯେପରି ଅବହେଳାର ସୁଯୋଗ ନ ରହେ, ସେଥିପାଇଁ ସମ୍ପୃକ୍ତ ବିଭାଗ ଘଟଣାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।