ଦଶପଲ୍ଲା, ୧୯/୦୯: ପ୍ରତିଭାବାନ କ୍ରୀଡ଼ାବିତ୍ ଛାତ୍ରଛାତ୍ରୀଙ୍କୁ ଚୟନ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଶନିବାର ପିଏମ୍ ଶ୍ରୀ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ସାତପାଟଣା ପରିସରରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜୋନ୍ ରୁ ପ୍ରାୟ ଦୁଇ ଶହ ପ୍ରତିଯୋଗୀ ଯୋଗ ଦେଇ ଫୁଟବଲ, ହ୍ୟାଣ୍ଡବଲ, ରଗବୀ ଫୁଟବଲ, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ତୀରନ୍ଦାଜୀ, ଯୋଗ, ଯୋଗ ଅଲିମ୍ପିଆଡ୍ ଓ ସତରଞ୍ଜ ଭଳି ବିଭିନ୍ନ କ୍ରୀଡ଼ାରେ ଛାତ୍ରଛାତ୍ରୀମାନେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ଅଭିଜ୍ଞ କ୍ରୀଡ଼ା ଶିକ୍ଷକମାନେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏମ୍ ଶ୍ରୀ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ନାୟକ, ନଛିପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜିବନୀ ସାମଲ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଦେଢଶର ପ୍ରଧାନଶିକ୍ଷକ ଶ୍ୟାମବନ୍ଧୁ ପ୍ରଧାନ, ଜେଆରସି ମଣ୍ଡଳ ସମ୍ପାଦକ କଳ୍ପନା ଗଜେନ୍ଦ୍ର ଓ ସତରଞ୍ଜ କ୍ରୀଡ଼ା ପରିଚାଳକ ବାଲାରସନ ପାତ୍ର, ମଣ୍ଡଳ କ୍ରୀଡ଼ା ସମ୍ପାଦକ ରବୀନ୍ଦ୍ରନାଥ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।