ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ହେବ: ବିଷ୍ଣୁଦେବ ସାଏ
ଭୁବନେଶ୍ୱର, ୨୦/୦୯: ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଖୁବ୍ଶୀଘ୍ର ହେବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ମହାନଦୀ ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି।
ସାଏଙ୍କ କହିବା ଅନୁସାରେ, ଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳ ବଣ୍ଟନ ନେଇ ଆଲୋଚନା ହୋଇସାରିଛି। ଏହାସହ ଉଭୟ ରାଜ୍ୟ ଆଗାମୀ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) କୁ ସହମତି ଜଣାଇଥିବା ସେ କହିଛନ୍ତି। ସିଡବ୍ଲ୍ୟୁସି ଯେଉଁ ନିଷ୍ପତ୍ତି ନେବ, ଉଭୟ ରାଜ୍ୟ ତାହାକୁ ମାନିନେବେ ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ମହାନଦୀକୁ ନେଇ ଏବେ ଆଉ କୌଣସି ପ୍ରକାରର ଜଳ ବିବାଦ ନାହିଁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି, ସେଠାରେ ଜଳ ବିବାଦ ଦୂର କରିବା ଦିଗରେ ପ୍ରୟାସ ହୋଇଛି। ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ରେ ବିଜେପି ସରକାର ଏବଂ କେନ୍ଦ୍ରରେ ଏନ୍ଡିଏ ସରକାର ଥିବାରୁ ମହାନଦୀ ବିବାଦର ସମାଧାନ ଖୁବ୍ଶୀଘ୍ର ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ମହାନଦୀ ବିବାଦର ସମାଧାନ ପାଇଁ ଗତ ଜୁଲାଇ ୩୦ରେ ନୂଆଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ମଧ୍ୟରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ଉଭୟ ରାଜ୍ୟର ଅଧିକାରୀ ଓ ସିଡବ୍ଲ୍ୟୁସିର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ସିଡବ୍ଲ୍ୟୁସି ଅଧ୍ୟକ୍ଷତାରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ସେପ୍ଟେମ୍ବର ୨୧ରେ ଆଉ ଏକ ସିଡବ୍ଲ୍ୟୁସି ବୈଠକ ହେବାକୁ ଥିବା ବେଳେ, ମହାନଦୀ ଜଳ ବିବାଦ ସମାଧାନ ହେବାର ଆଶା କରାଯାଉଛି। ଅନ୍ୟପଟେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲିଥିବା ମାମଲାର ଶୁଣାଣିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।
ଦୁଇ ଦିନିଆ ଓଡ଼ିଶା ଗସ୍ତ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି କହିଛନ୍ତି।