ଟଳିଲା ୩୦ ଲକ୍ଷ ଇନାମୀ କୁଖ୍ୟାତ ନକ୍ସଲ କମାଣ୍ଡର
ବ୍ରିଜେଶ ବିରୋଧରେ ଥିଲା ୫୦ ମାମଲା, ‘ୱାଣ୍ଟେଡ’ ଘୋଷଣା କରିଥିଲା ଏନଆଇଏ
ବାରଣାସୀ, ୨୦/୦୯: ଟଳିଲା କୁଖ୍ୟାତ ନକ୍ସଲ। ଉତ୍ତରପ୍ରଦେଶର ବାରଣାସୀରେ ଉତ୍ତରପ୍ରଦେଶ ଆଣ୍ଟି-ଟେରରିଜମ୍ ସ୍କ୍ୱାଡ୍ ର ଏନକାଉଣ୍ଟରରେ ଝାଡ଼ଖଣ୍ଡର ନିଷିଦ୍ଧ ଉଗ୍ରବାଦୀ ସଂଗଠନ ତୃତୀୟ ପ୍ରସ୍ତୁତି କମିଟି (ଟିପିସି)ର କମାଣ୍ଡର ବ୍ରିଜେଶ ଗଞ୍ଝୁ ନିହତ ହୋଇଛି। ବ୍ରିଜେଶ ଗଞ୍ଝୁ ଓରଫ ଗୋପାଳ ସିଂହ ଭୋକ୍ତା ଉପରେ ମୋଟ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଏଥିରୁ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ ଏବଂ ଏନଆଇଏ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ପୋଲିସ ଅନୁସାରେ, ରବିବାର ଭୋର ସମୟରେ ବ୍ରିଜେଶ ବାରଣାସୀର ରାମନଗର ଥାନା ଅଞ୍ଚଳ ଦେଇ ମୋଟରସାଇକେଲରେ ଯାଉଥିବା ସୂଚନା ମିଳିଥିଲା। ସେ ଟେଙ୍ଗରା ମୋଡ଼ରୁ ମୁଗଲସରାଇ ଦିଗକୁ ଯାଉଥିବା ବେଳେ ଲଙ୍କା ମୈଦାନ ନିକଟରେ ଏଟିଏସ ଟିମ୍ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସ କହିଛି, ଅଟକିବା ପରିବର୍ତ୍ତେ ବ୍ରିଜେଶ ପୋଲିସ ଉପରେ ଗୁଳି ଚଳାଇଥିଲା। ପରେ ଦୁଇପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ଗୁଳିବିନିମୟରେ ବ୍ରିଜେଶ ଗୁରୁତର ଆହତ ହୋଇଥିଲା। ଏଟିଏସ ଟିମ୍ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଏଟିଏସର ଡିଏସ୍ପି ବିପିନ ରାୟ ଏବଂ ହେଡ୍ କନଷ୍ଟେବଳ ନିତେନ୍ଦ୍ର କୃଷ୍ଣଙ୍କ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ରେ ଗୁଳି ବାଜିଥିବା ପୋଲିସ କହିଛି। ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ଅସ୍ତ୍ର ଓ ଗୁଳି ସମ୍ପର୍କିତ ସାମଗ୍ରୀ ଜବତ ହୋଇଛି। ବ୍ରିଜେଶ ସହ ଥିବା ଜଣେ ସହଯୋଗୀ ଘଟଣାସ୍ଥଳରୁ ଖସିଯାଇଛି। ତାକୁ ଧରିବା ପାଇଁ ଖୋଜାଖୋଜି ଚାଲିଥିବା ଜଣାପଡ଼ିଛି।
ବ୍ରିଜେଶ ଗଞ୍ଝୁ ବିରୋଧରେ ଦୀର୍ଘ ସମୟ ଧରି ଏକାଧିକ ଗୁରୁତର ମାମଲା ରହିଥିବା ପୋଲିସ କହିଛି। ରିପୋର୍ଟ ଅନୁସାରେ, ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି, ଅସ୍ତ୍ର ଆଇନ ଏବଂ ୟୁଏପିଏ ସମ୍ପର୍କିତ ମାମଲା ରହିଥିଲା। ଉତ୍ତରପ୍ରଦେଶରେ ବ୍ରିଜେଶ ବିରୋଧରେ ୫୦ଟି ମାମଲା ରହିଛି। ଏନଆଇଏ ମଧ୍ୟ ବ୍ରିଜେଶକୁ ଏକାଧିକ ମାମଲାରେ ଖୋଜୁଥିଲା। ବିଶେଷକରି ଟିପିସି ସହ ଜଡ଼ିତ ଅର୍ଥ ଯୋଗାଣ ମାମଲାରେ ଏନଆଇଏ ତାକୁ ଖୋଜୁଥିଲା।
ବ୍ରିଜେଶ ଗଞ୍ଝୁ ଝାଡ଼ଖଣ୍ଡର ଚତରା ଜିଲ୍ଲାର ବାସିନ୍ଦା ଥିଲା ଏବଂ ଟିପିସିର ଜଣେ ପ୍ରମୁଖ କମାଣ୍ଡର ଭାବେ ସୁରକ୍ଷା ଏଜେନ୍ସିଙ୍କ ନଜରରେ ଥିଲା। ଟିପିସି ଝାଡ଼ଖଣ୍ଡରେ ସକ୍ରିୟ ଏକ ନିଷିଦ୍ଧ ଉଗ୍ରବାଦୀ ସଂଗଠନ।