ଭୁବନେଶ୍ୱର, ୨୦/୦୯: ପୋଲିସ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛି କମିସନରେଟ ପୋଲିସ। ଡ୍ୟୁଟି ସମୟରେ ବର୍ଦିରେ ଥାଇ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ କଟକଣା ଲଗାଯାଇଛି। ବିଶେଷକରି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଏହି ନିୟମ ଅଧିକ କଡ଼ାକଡ଼ି କରାଯାଇଛି।
ନୂଆ ଗାଇଡ୍ଲାଇନ୍ ଅନୁସାରେ, ଡ୍ୟୁଟିରେ ଥିବା ସମୟରେ ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ନିଜର ଫଟୋ, ଭିଡିଓ କିମ୍ବା ଡ୍ୟୁଟି ସମ୍ପର୍କିତ କୌଣସି ଦୃଶ୍ୟକୁ ଅନୁମତି ବିନା ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ। ଏହା ଦ୍ୱାରା ପୋଲିସର ଗୋପନୀୟ ତଥ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଡ୍ୟୁଟି ସମ୍ପର୍କିତ ସୂଚନା ଅଜାଣତରେ ସାର୍ବଜନୀନ ହେବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଛି।
ଲୋକ ଭବନ, ଲୋକସେବା ଭବନ, ଶ୍ରୀଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଳି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନେ ବିନା ଅନୁମତିରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିପାରିବେ ନାହିଁ। ଏହି କଟକଣା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଓ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ପ୍ରତିଷ୍ଠାନ ପାଇଁ ମଧ୍ୟ ଲାଗୁ ହେବ।
ଏହାଛଡ଼ା ଆର୍ମୋରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ଡ୍ୟୁଟି ସମୟରେ ଫଟୋ କିମ୍ବା ଭିଡିଓ ରେକର୍ଡିଂ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। କମିଶନରେଟ ପୋଲିସର ଏହି ନୂଆ ନିୟମ ଉଲ୍ଲଂଘନ କରିଲେ ବିଭାଗୀୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।