ଗଠନମୂଳକ ସାମ୍ବାଦିକତା ଦେଶର ବିକାଶରେ ସହାୟକ: ଜିଲ୍ଲାପାଳ

ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ

ଝାରସୁଗୁଡ଼ା, ୨୦/୯ ( ଦର୍ଶନ ନ୍ୟୁଜ ): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତା ସମାଜକୁ ସଚେତନ କରିବା ସହ ଶାସନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଗଠନମୂଳକ ଓ ସକାରାତ୍ମକ ସାମ୍ବାଦିକତା ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିପାରିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ କହିଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଏହା କହିଥିଲେ। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକତା, ସମାଜସେବା ଓ ସାଂସ୍କୃତିକ ପରମ୍ପରାର ସୁନ୍ଦର ସମନ୍ୱୟ ପରିଲକ୍ଷିତ ହୋଇଥିଲା।

ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏହାର ସିଧାସଳଖ ଲାଭ ଜନସାଧାରଣଙ୍କୁ ମିଳିଥାଏ। ଜନସାଧାରଣଙ୍କ ସମସ୍ୟା, ଆଶା ଓ ଆବଶ୍ୟକତାକୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇବା ସହ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ସଠିକ୍ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।

ସେ କହିଥିଲେ ଯେ, ସକାରାତ୍ମକ ସମାଲୋଚନା ପ୍ରଶାସନକୁ ନିଜ କାର୍ଯ୍ୟଧାରାରେ ଆହୁରି ସୁଧାର ଆଣିବା ପାଇଁ ପ୍ରେରଣା ଦେଇଥାଏ। ସାମ୍ବାଦିକମାନେ ନିରପେକ୍ଷତା, ତଥ୍ୟନିଷ୍ଠା ଓ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ବିକାଶର ସଫଳତାକୁ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ।

ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଏହା ତାଙ୍କର ପ୍ରଥମ ଦାୟିତ୍ୱ ହୋଇଥିବାରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ଓ ପରିକଳ୍ପନା ରହିଥିବା ସେ ପ୍ରକାଶ କରିଥିଲେ। ଜିଲ୍ଲାର ବିକାଶ ଯାତ୍ରାରେ ଗଣମାଧ୍ୟମର ସହଯୋଗ ଆବଶ୍ୟକ ବୋଲି ସେ କହିବା ସହ ସାମ୍ବାଦିକମାନଙ୍କ ଆବଶ୍ୟକତା ଓ ସମସ୍ୟାଗୁଡ଼ିକୁ ନିୟମାନୁସାରେ ସମାଧାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ସମ୍ଭବ ସମସ୍ତ ସହଯୋଗ କରିବ ବୋଲି ଆଶ୍ୱାସନ ଦେଇଥିଲେ। ଏହା ସହ ସେ ଉପସ୍ଥିତ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସ୍‌ପି ଜେମସ ସାମଦ ଯୋଗଦେଇ ସମାଜରେ ସଚେତନତା ସୃଷ୍ଟି ଓ ଲୋକଙ୍କ ସ୍ୱରକୁ ସାମ୍ନାକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ରିତାକାନ୍ତି ବଳିଆରସିଂ ମଧ୍ୟ ସାମ୍ବାଦିକତାର ଦାୟିତ୍ୱ ଓ ନୂଆଖାଇ ଭେଟଘାଟର ସାମାଜିକ-ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ନିଜର ମତ ରଖିଥିଲେ।

ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଭରତ ପାତ୍ର ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବର୍ଷକ ମଧ୍ୟରେ ପ୍ରେସ କ୍ଲବ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସାମାଜିକ ଓ ସାମ୍ବାଦିକତାମୂଳକ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଦିନତମାମ ଚାଲିଥିବା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ରାୟଗଡ଼ାର ଗାୟତ୍ରୀ କଳା ସଂଗଠନ ପକ୍ଷରୁ ପରିବେଷିତ ଢେମସା ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଲୋଇସିଂହାର ଶଙ୍କର ବେହେରା ଓ ସାଥୀମାନଙ୍କ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଢୋଲ, ନିଶାନ ଓ ତାସାର ତାଳେ ତାଳେ ପୂରା ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

ସେହିପରି କଳାହାଣ୍ଡି ସାଂସ୍କୃତିକ ପରିଷଦ ଓ ବୌଦ୍ଧର ବାଉଁଷୁଣୀ ସାଂସ୍କୃତିକ ପରିଷଦର କଳାକାରମାନେ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ମଞ୍ଚକୁ ଜୀବନ୍ତ କରିଥିଲେ। ନୂଆଖାଇର ଭାଇଚାରା, ସାମାଜିକ ସମ୍ପ୍ରୀତି ଓ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳାର ଛବି ଏହି କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।

ଏହି ଅବସରରେ ସାମ୍ବାଦିକତା, ସାମାଜିକ ସେବା ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରମେଶ ଗାନ୍ଧୀ, ରାଜେଶ ପାଢ଼ୀ, ଅର୍ଜୁନ ମୋର, ଅରବିନ୍ଦ ବାରିକ ଏବଂ ବରିଷ୍ଠ ପେପର ବିକ୍ରେତା ବିଜୟ ଜେନାଙ୍କୁ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ପ୍ରତିଭାମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ନୂତନ ପିଢ଼ିକୁ ସାମାଜିକ ଦାୟିତ୍ୱ ପ୍ରତି ପ୍ରେରିତ କରିବା ଏହି ସମ୍ମାନର ଉଦ୍ଦେଶ୍ୟ ଥିଲା।

ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ୟାରେ ଲାଲ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସଂଘର କର୍ମକର୍ତ୍ତା ରବି ନାରାୟଣ ସାହୁ, ବିକ୍ରମ ମହାପାତ୍ର, ପ୍ରୀତମ ପଣ୍ଡା, ଚିଣ୍ଟୁ ଅଗ୍ରୱାଲ, ସନ୍ତୋଷ ଦଳାଇ, ବସନ୍ତ ଜେନା, ଦେବୁନ୍‌ଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।

ବେଦାନ୍ତ ସହଯୋଗ ରେ ଆୟୋଜିତ ଡିପିସି ର ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ଅବସରରେ ସାମ୍ବାଦିକ, ସାମାଜିକ କର୍ମୀ, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସମାଗମ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶର ବାର୍ତ୍ତା ଦେଇଥିଲା। ସାମ୍ବାଦିକତାର ଦାୟିତ୍ୱ, ପ୍ରଶାସନ-ଗଣମାଧ୍ୟମ ସମନ୍ୱୟ ଏବଂ ନୂଆଖାଇର ଭାଇଚାରାକୁ ଏକାଠି କରି ଏହି ଉତ୍ସବ ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏକ ସୁନ୍ଦର ଅଧ୍ୟାୟ ସୃଷ୍ଟି କରିଥିଲା।