ଏମଏମଡିଆର ଝଡ଼: ଗର୍ଜିଲେ ବିରୋଧୀ, ଚାଲି ପାରିଲାନି ଗୃହ

ଓଏମସି ଅଫିସ ସାମନାରେ ବିଜେଡ଼ି, ଗାନ୍ଧୀ ମୂର୍ତ୍ତୀ ତଳେ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର, ୨୪/୦୯: : ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ହୋହଲ୍ଲା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଭିନ୍ନ ଦାବି ନେଇ ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ। ଏମଏମଡିଆର ସଂଶୋଧନ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ଜୋରଦାର ନାରାବାଜି କରିଥିବା ବେଳେ ବିଜେଡି ବିଧାୟକମାନେ ମଧ୍ୟ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇଥିଲେ।

ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। କଂଗ୍ରେସ ପକ୍ଷରୁ ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହାର ଦାବି କରାଯାଇଥିଲା। ଦଳର ବିଧାୟକମାନେ ଏହି ଆଇନକୁ ନେଇ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଏହି ଦାବିକୁ ବିଜେଡି ସଦସ୍ୟମାନେ ମଧ୍ୟ ସମର୍ଥନ କରି ହୋହଲ୍ଲା କରିଥିଲେ।

ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି କରିବା ସହ ଗୃହରେ ପ୍ରତିବାଦ ଜାରି ରଖିଥିଲେ। ଗୃହରେ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ବାରମ୍ବାର ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ। କିନ୍ତୁ ନାରାବାଜି ଓ ପ୍ରତିବାଦ ଜାରି ରହିବାରୁ ସ୍ୱାଭାବିକ ଭାବେ ପ୍ରଶ୍ନକାଳ ଚାଲିପାରିନଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିବାଦ ସମୟରେ ଉପବାଚସ୍ପତିଙ୍କ ଉପରକୁ ପୋଷ୍ଟର ଫିଙ୍ଗିଥିଲେ।

ଲଗାତାର ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇନପାରିବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପୂର୍ବ ଦୁଇ ଦିନ ମଧ୍ୟ ଏମଏମଡିଆର ଆଇନ ଓ ପାଠ୍ୟପୁସ୍ତକର ତ୍ରୁଟିକୁ ନେଇ ବିଜେଡି ଓ କଂଗ୍ରେସର ପ୍ରତିବାଦ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ମାତ୍ର ୧୫ ମିନିଟ୍ ପାଇଁ ଚାଲି ପାରିଛି ଗୃହ।

କେବଳ ଗୃହ ଭିତରେ ନୁହେଁ, ବିଧାନସଭା ବାହାରେ ମଧ୍ୟ ଏମଏସଡିଆର ପ୍ରସଙ୍ଗକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ବ୍ୟାନର ପିନ୍ଧି ପ୍ରତିବାଦ କରାଯାଇଥିବା ବେଳେ ବିଜେଡି ବିଧାୟକମାନେ ହାତରେ ବ୍ୟାନର ଧରି ଓଏମସି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଛନ୍ତି।