ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା

ନବରଙ୍ଗପୁରକୁ ରେଡ୍ ଆଲର୍ଟ

ଭୁବନେଶ୍ୱର, ୨୪/୦୯: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଥିବାବେଳେ ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗଭୀର ଅବପାତ ପ୍ରଭାବରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆଜି ରାଜ୍ୟର କେତେକ ସ୍ଥାନରେ ୨୦ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ନବରଙ୍ଗପୁର ଜିଲ୍ଲାକୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଭାରୀ ବର୍ଷା ହେବାର ଆଶଙ୍କା ରହିଛି।

ଆସନ୍ତା ୨୫ ଓ ୨୬ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ଆଶଙ୍କା ରହିଛି। ସୂଚନାଯୋଗ୍ୟ ୨୩ ତାରିଖରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିମି ବର୍ଷା ରେକର୍ଡ ହୋଇଥିଲା।