ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଗ୍ରେଟର ନୋଏଡା, ୨୪/୦୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସ୍‌ୱେରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଭୟାବହ ବସ୍‌ ଅଗ୍ନିକାଣ୍ଡ। ଦିଲ୍ଲୀରୁ ମହୋବା ଯାଉଥିବା ଏକ ଏସି ସ୍ଲିପର ବସ୍‌ରେ ହଠାତ୍ ନିଆଁ ଲାଗିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୮ ଜଣ ପୁରୁଷ ରହିଛନ୍ତି। ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

ଘଟଣାଟି ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ଯମୁନା ଏକ୍ସପ୍ରେସ୍‌ୱେର ଜେୱର ଥାନା ଅଞ୍ଚଳରେ ଘଟିଥିଲା। ଏହି ଘଟଣାକୁ ନେଇ ପୁଲିସରେ ରୁଜୁ ହୋଇଥିବା FIRରେ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି ଯାତ୍ରୀ। ଜଣେ ଯାତ୍ରୀ ସୁନୀଲ କୁମାରଙ୍କ ଅଭିଯୋଗ ଅନୁସାରେ, ବସ୍‌ଟି ଏକ୍ସପ୍ରେସ୍‌ୱେରେ ଯାଉଥିବା ସମୟରେ ଡ୍ରାଇଭର କ୍ୟାବିନ୍‌ ଆଡ଼ୁ ଜଳିବା ଗନ୍ଧ ଆସୁଥିବା କିଛି ଯାତ୍ରୀ ଅନୁଭବ କରିଥିଲେ। ସେମାନେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏ ବିଷୟରେ ଜଣାଇଥିଲେ। କିନ୍ତୁ ଡ୍ରାଇଭର ଏହାକୁ ଗୁରୁତ୍ୱ ନଦେଇ ବସ୍‌ରେ ଏଭଳି ଜଳିବା ଗନ୍ଧ ସାଧାରଣ କଥା ବୋଲି କହିଥିଲେ। ଯାତ୍ରୀମାନେ ବସ୍‌ ଅଟକାଇ ଯାଞ୍ଚ କରିବାକୁ କହିଥିଲେ ମଧ୍ୟ ତୁରନ୍ତ ବସ୍‌ ଅଟକାଯାଇନଥିଲେ। ଡ୍ରାଇଭର ଓ କଣ୍ଡକ୍ଟର କ୍ୟାବିନ୍‌ରେ ସିଗାରେଟ୍‌ ଟାଣୁଥିଲେ।

ଯାତ୍ରୀମାନେ ଜଳିବା ଗନ୍ଧ ବିଷୟରେ ଜଣାଇବାର କିଛି ସମୟ ପରେ ଡ୍ରାଇଭର ସିଟ୍‌ ନିକଟରୁ ହଠାତ୍ ନିଆଁ ବାହାରିଥିଲା। ଦେଖୁଦେଖୁ ନିଆଁ ବସ୍‌ର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା। ବସ୍‌ ଭିତରେ ଘନ ଧୂଆଁ ଭରିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। କିଛି ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ବସ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ଅନ୍ୟମାନେ ଝରକା ଓ ଦ୍ୱାର ଦେଇ ବାହାରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁ ଲିଭାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା‌।

ଘଟଣା ପରେ ବସ୍‌ର ଡ୍ରାଇଭର ପବନ ଓ କଣ୍ଡକ୍ଟର ଯୋଗେଶଙ୍କୁ ପୁଲିସ ଅଟକ ରଖିଛି। ବସ୍‌ରେ ଶର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

ଘଟଣାରେ ଜୀବନ ହରାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଅଧିକାରୀମାନଙ୍କୁ ଆହତଙ୍କ ଉଚିତ୍‌ ଚିକିତ୍ସା ଓ ମୃତକଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା ହୋଇଛି।