ଚଳିତ ବର୍ଷ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ, ୧୮ ହଜାରରୁ ଅଧିକ ଘର ଭାଙ୍ଗିଛି
ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
ଭୁବନେଶ୍ୱର, ୨୪/୦୯: ଚଳିତ ବର୍ଷ ଓଡ଼ିଶାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୯୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ବିଧାନସଭାରେ ଚଳିତ ବର୍ଷର ବନ୍ୟାଜନିତ କ୍ଷୟକ୍ଷତି ଓ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବନ୍ୟାରେ ମୋଟ ୧୮ ହଜାର ୭୬ଟି ଘର ଭାଙ୍ଗିଛି। ସେହିପରି ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବନ୍ୟା ପରେ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ବାବଦରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଓ ସହାୟତା ପ୍ରଦାନ କରାଯାଇଛି।
ବ୍ୟକ୍ତିଗତ କ୍ଷତିଭରଣା ବାବଦରେ ମୋଟ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଘର ଭାଙ୍ଗିଥିବା ଲୋକଙ୍କୁ ଗୃହ ନିର୍ମାଣ ସହାୟତା ବାବଦରେ ୩୩ କୋଟି ଟଙ୍କା ଏବଂ ଫସଲହାନୀ ବାବଦରେ ୧୫୧ କୋଟି ଟଙ୍କା ଦିଆଯାଇଛି।
ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ପୋଷାକପତ୍ର ଓ ବାସନକୁସନ ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ପୋଷାକପତ୍ର ବାବଦରେ ୯ କୋଟି ୪୭ ଲକ୍ଷ ଟଙ୍କା ଏବଂ ବାସନକୁସନ ବାବଦରେ ୯ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ ହୋଇଛି। ବନ୍ୟା ପାଣି ସହ ବାଲି ଆସି ଚାଷଜମିରେ ଜମିଥିବାରୁ ବାଲିଚର ଜମି ପୁନଃରୁଦ୍ଧାର ପାଇଁ ମଧ୍ୟ ୪ କୋଟି ଟଙ୍କା ପ୍ରଦାନ କରାଯାଇଛି।
ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରିଲିଫ୍ ଭାବେ ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ ଏବଂ ୧୨ ହଜାର ୮୬୩ କୁଇଣ୍ଟାଲ ଚୁଡ଼ା ବଣ୍ଟନ କରାଯାଇଛି। ଏହା ସହ ୧୪୪୮ କୁଇଣ୍ଟାଲ ଗୁଡ଼ ମଧ୍ୟ ବଣ୍ଟନ ହୋଇଛି।
ବନ୍ୟାରେ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି। ପଶୁଙ୍କ ଖାଦ୍ୟ ପାଇଁ ୪୧୨୭ ମେଟ୍ରିକ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ବର୍ଷା ଓ ବନ୍ୟା ସମୟରେ ଆଶ୍ରୟ ନେବା ପାଇଁ ୨୮ ହଜାର ୬୫୧ଟି ପଲିଥିନ ବଣ୍ଟନ କରାଯାଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ବନ୍ୟାରେ ଜୀବନହାନି ସହ ଘରଦ୍ୱାର, ଚାଷଜମି ଓ ଫସଲର ବ୍ୟାପକ କ୍ଷତି ହୋଇଥିବା ବେଳେ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଏବଂ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଥିବା ରାଜସ୍ୱ ମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ହୋଇଛି।