ନିଆଳି ପନିର ଅପମିଶ୍ରଣ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

ଦାୟିତ୍ବରେ ଅବହେଳା ପାଇଁ ବଦଳି ନିର୍ଦ୍ଦେଶ ଦେଲେ ସରକାର

କଟକ, ୨୬/୦୯: ନିଆଳି ଅଞ୍ଚଳରେ ପନିର ପ୍ରସ୍ତୁତି ଓ ଅପମିଶ୍ରଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହରିୟାଣା ଲ୍ୟାବ୍‌ରୁ ପନିର୍‌ ଅପମିଶ୍ରଣ ରିପୋର୍ଟ ଆସିବା ପରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି କରାଯାଇଛି। ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ତଦାରଖ ଦାୟିତ୍ୱରେ ସେ ଥିବା ବେଳେ ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କିଛି ଦିନ ପୂର୍ବରୁ ନିଆଳି ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ପନିର ଜବତ କରାଯାଇଥିଲା। ରିପୋର୍ଟ ଅନୁସାରେ, ପ୍ରାୟ ୭୩ କ୍ୱିଣ୍ଟାଲ୍ ନକଲି ପନିର ଜବତ ହୋଇଥିଲା। ଜବତ ପନିରର ନମୁନାକୁ ଗୁଣବତ୍ତା ଓ ଉପାଦାନ ଯାଞ୍ଚ ପାଇଁ ହରିୟାଣାର ଏକ ଲ୍ୟାବ୍‌କୁ ପଠାଯାଇଥିଲା। ସେହି ଲ୍ୟାବ୍‌ରୁ ଆସିଥିବା ରିପୋର୍ଟ ଅନୁସାରେ, ନମୁନାରେ ମଇଦା ଓ ଡିଟରଜେଣ୍ଟ ଭଳି ଅନୁଚିତ ପଦାର୍ଥ ଥିବା ଜଣାପଡ଼ିଛି।