ଭୁବନେଶ୍ୱର, ୨୬/୦୯: ଲଗାଣ ବର୍ଷା ଓ ଅବପାତର ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଏକାଧିକ ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ପାଣି ପଶିଛି। କେଉଁଠି ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ତ କେଉଁଠି ଘାଇ ଯୋଗୁଁ ଗାଁ ଭିତରକୁ ବନ୍ୟାଜଳ ପଶିଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ପ୍ରଭାବ ପକାଇଥିବା ଅବପାତ ଏବେ ଉତ୍ତର ଛତିଶଗଡ଼ ଅଞ୍ଚଳକୁ ଗତି କରିଛି। ଏହାର ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରିରୁ ଅତିଭାରି ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ କମିପାରେ।
ବାଲେଶ୍ୱର ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଜିଲ୍ଲାର ୫ଟି ବ୍ଲକ୍ରେ ପାଣି ପଶିଥିବା ବେଳେ ପ୍ରାୟ ୧୫ ହଜାର ଲୋକ ଜଳବନ୍ଦୀ ହୋଇଥିବା ରିପୋର୍ଟ ମିଳିଛି। ୩ ହଜାରରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରାୟ ୩,୭୭୦ ହେକ୍ଟର ଚାଷଜମି ମଧ୍ୟ ପାଣିରେ ବୁଡ଼ିଥିବା ଜଣାପଡ଼ିଛି। ବୁଢ଼ାବଳଙ୍ଗର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି।
ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିପାଇଁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍ର ତଳିଆ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଭଦ୍ରକର ୭ଟି ବ୍ଲକ୍ର ୩୯୯ଟି ସ୍କୁଲ୍ ବନ୍ଦ ରଖାଯାଇଛି।
ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳରେ କାଣୀ ନଦୀର ଘାଇ ପୁଣି ସମସ୍ୟା ସୃଷ୍ଟି କରିଛି। ଘାଇ ଦେଇ ବନ୍ୟାଜଳ ତଳିଆ ଅଞ୍ଚଳକୁ ପଶିବାରୁ ଏକାଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ପୂର୍ବରୁ ମରାମତି ହୋଇଥିବା ସ୍ଥାନରେ ପୁଣି ଘାଇ ହୋଇଥିବା ରିପୋର୍ଟ ଆସିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନଦୀ ଓ ନାଳର ଜଳସ୍ତର ବଢ଼ିଛି। ଅନେକ ରାସ୍ତା ଓ ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।
ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଏହି ପର୍ଯ୍ୟାୟର ବର୍ଷାର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି। ତେନ୍ତୁଳିଖୁଣ୍ଟିରେ ୩୯୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନନ୍ଦାହାଣ୍ଡିରେ ୩୪୪ ମିମି ଓ କୋରାପୁଟର ବୋରିଗୁମ୍ମାରେ ୩୦୭.୮ ମିମି ବର୍ଷା ହୋଇଥିଲା। ଏହି ଅତ୍ୟଧିକ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ରାସ୍ତା ଯୋଗାଯୋଗ ସମସ୍ୟା ଦେଖାଦେଇଛି।
କୋରାପୁଟ ଓ ରାୟଗଡ଼ାର ପାହାଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ପରେ ମାଟି ଅତଡ଼ା ଖସିଛି। ରାଉଲି, ଲିଲିଗୁମ୍ମା, ଛତ୍ରିପୁଟ, ମାଲିଗୁଡ଼ା ଓ କେଉଟଗୁଡ଼ା-ସିକରପାଇ ଅଞ୍ଚଳରେ ରାସ୍ତା ଉପରେ ମାଟି ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଛି। କୋରାପୁଟ-ଜଗଦଲପୁର ରେଳପଥରେ ମଧ୍ୟ ଜଳବନ୍ଦୀ ଓ ଭୂସ୍ଖଳନର ପ୍ରଭାବ ପଡ଼ିଛି।
ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ପୋଲ ଉପରେ ପାଣି ଚାଲିଛି। ପୂର୍ବରୁ ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ଓ ଏମ୍ଭି-୯୦ ଭଳି ନିମ୍ନସ୍ତରୀୟ ପୋଲଗୁଡ଼ିକରେ ପାଣି ଚାଲିବାରୁ ଏନ୍ଏଚ୍-୩୨୬ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆଜି ମଧ୍ୟ ଜିଲ୍ଲାରେ ଭାରି ବର୍ଷା ପାଇଁ ସତର୍କତା ଜାରି ରହିଛି।
ଗଞ୍ଜାମର ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀ ବିପଦସଙ୍କେତ ନିକଟରେ ଥିବା ବେଳେ ଗଜପତିର କାଶୀନଗରଠାରେ ବଂଶଧାରା ବିପଦସଙ୍କେତ ଅତିକ୍ରମ କରିଛି। ଉଭୟ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗଞ୍ଜାମ, ଗଜପତି, ମାଲକାନଗିରି ଓ ନବରଙ୍ଗପୁରରେ ଗଛ ଉପୁଡ଼ିବା ଓ ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ୫ଟି ଗେଟ୍ ଖୋଲାଯାଇଛି। ଏହା ଫଳରେ ତଳିଆ ଅଞ୍ଚଳର ଜଳସ୍ତର ଉପରେ ନଜର ରଖାଯାଉଛି।
ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବର ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା କୁ ଆଲର୍ଟ ଜାରି କରାଯାଇଛି। ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା ଯୋଗୁଁ ଆଜି କଟକ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ସ୍କୁଲ୍ ବନ୍ଦ ରଖାଯାଇଛି। ଭଦ୍ରକର ୭ଟି ବ୍ଲକ୍ର ୩୯୯ଟି ସ୍କୁଲ୍ ମଧ୍ୟ ବନ୍ଦ ରହିଛି।