ପାକ୍ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କରଙ୍କ କଡ଼ା ଜବାବ

ଆତଙ୍କବାଦୀ ଦେଶ ହୋଇ ଆତଙ୍କବାଦ ବିଷୟରେ ପଚାରୁଥିବା ନେଇ ପ୍ରଶ୍ନ କଲେ

ନ୍ୟୁୟର୍କ, ୨୬/୦୯: ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନ ଅବସରରେ ଭାରତ-ପାକିସ୍ତାନ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଆତଙ୍କବାଦ ସମ୍ପର୍କିତ ପ୍ରଶ୍ନ ପଚାରିଥିବା ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ସେ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ଆତଙ୍କବାଦୀ ଦେଶ ମୋତେ ଏହି ପ୍ରଶ୍ନ ପଚାରୁଛି?”

ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଜୟଶଙ୍କର ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେୟସୋଲୋ ନ୍ୟାଣ୍ଟିଙ୍କ ସହ ‘ଗ୍ରୁପ୍ ଅଫ୍ ଫ୍ରେଣ୍ଡସ୍ ଅନ୍ ସେଫ୍ଟି ଆଣ୍ଡ ସିକ୍ୟୁରିଟି ଅଫ୍ ସିପିଂ ଆଣ୍ଡ ସିଫେରର୍ସ’ ସମ୍ପର୍କିତ ଗଣମାଧ୍ୟମ ବ୍ରିଫିଂରେ ଯୋଗ ଦେଇଥିଲେ। ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ‘ରିମାର୍କ୍ସ ଓନ୍ଲି’ ବ୍ରିଫିଂ ଭାବେ ଘୋଷିତ ହୋଇଥିଲା।

ବ୍ରିଫିଂ ଶେଷ ହେବା ବେଳକୁ ଜଣେ ପାକିସ୍ତାନୀ ସାମ୍ବାଦିକ ମଝିରେ ପ୍ରଶ୍ନ ଉଠାଇ ଭାରତ ସରକାରଙ୍କୁ ଆତଙ୍କବାଦ ପ୍ରସଙ୍ଗରେ ଅଭିଯୋଗ କରିଥିଲେ। ସେ ପଚାରିଥିଲେ, “ଆପଣଙ୍କ ସରକାର ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କେବେ ବନ୍ଦ କରିବ?”

ଏହାର ଉତ୍ତରରେ ଜୟଶଙ୍କର କୌଣସି ବିସ୍ତୃତ ବିବୃତି ନଦେଇ ସିଧାସଳଖ କହିଥିଲେ, ଆତଙ୍କବାଦୀ ଦେଶ ମୋତେ ଏହି ପ୍ରଶ୍ନ ପଚାରୁଛି?” ଏହାପରେ ଭାରତର ଜାତିସଂଘସ୍ଥିତ ସ୍ଥାୟୀ ପ୍ରତିନିଧି ହର୍ଷବର୍ଦ୍ଧନ ପର୍ବତାନେନୀ ସାମ୍ବାଦିକଙ୍କୁ କହିଥିଲେ ଯେ, ତାଙ୍କ ପ୍ରଶ୍ନର ଜବାବ ସେ ପାଇସାରିଛନ୍ତି।

ଭାରତ ଓ ଲାଇବେରିଆ ମିଳିତ ଭାବେ ‘ଗ୍ରୁପ୍ ଅଫ୍ ଫ୍ରେଣ୍ଡସ୍ ଅନ୍ ସେଫ୍ଟି ଆଣ୍ଡ ସିକ୍ୟୁରିଟି ଅଫ୍ ସିପିଂ ଆଣ୍ଡ ସିଫେରର୍ସ’ ଆରମ୍ଭ କରିଛନ୍ତି। ବିଶ୍ୱର ବିଭିନ୍ନ ସମୁଦ୍ରପଥରେ ବଢ଼ୁଥିବା ସୁରକ୍ଷା ଆଶଙ୍କା ଓ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଏହି ପଦକ୍ଷେପର ଗୁରୁତ୍ୱ ରହିଛି।

ଭାରତ ବିଶ୍ୱର ଏକ ବଡ଼ ନାବିକ ଯୋଗାଣକାରୀ ଦେଶ ହୋଇଥିବା ବେଳେ ଲାଇବେରିଆ ବିଶ୍ୱର ପ୍ରମୁଖ ଶିପିଂ ରେଜିଷ୍ଟ୍ରି ଦେଶ ମଧ୍ୟରୁ ଗୋଟିଏ। ତେଣୁ ଉଭୟ ଦେଶ ମିଳିତ ଭାବେ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ସୁରକ୍ଷା ପ୍ରସଙ୍ଗକୁ ଆନ୍ତର୍ଜାତିକ ମଞ୍ଚରେ ଗୁରୁତ୍ୱ ଦେଇଛନ୍ତି।

୮୧ତମ ଜାତିସଂଘ ସାଧାରଣ ପରିଷଦର ଉଚ୍ଚ-ସ୍ତରୀୟ ସପ୍ତାହ ପାଇଁ ଜୟଶଙ୍କର ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ଗସ୍ତ ସମୟରେ ସେ ଏକାଧିକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି। ଆତଙ୍କବାଦକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମତଭେଦ ଲାଗି ରହିଥିବା ବେଳେ ଜୟଶଙ୍କରଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଭାରତର ଦାବି ଥିଲା ଯେ, ଏହାର ଲକ୍ଷ୍ୟ ଆତଙ୍କବାଦୀ ନେଟୱର୍କ ଓ ଭିତ୍ତିଭୂମି ଥିଲା।

ଏହି ପହଲଗାମ ଆକ୍ରମଣକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ସମେତ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ଆତଙ୍କବାଦ ବିରୋଧରେ ଚର୍ଚ୍ଚା ହୋଇଥିଲା। ଏହାପରେ ଭାରତ ଆନ୍ତର୍ଜାତିକ ମଞ୍ଚଗୁଡ଼ିକରେ ସୀମାପାର ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ନେବାକୁ ଦାବି କରିଆସୁଛି।