ଭିନ୍ନକ୍ଷମ ଯୁବତୀ ଗର୍ଭବତୀ ଘଟଣା: ଶକ୍ତି ସଜନ ଗୃହରେ ଭର୍ତ୍ତି

ଘଟଣାର ତଦନ୍ତ ଜାରି

କଲ୍ୟାଣ ସିଂହପୁର, ୨୬/୦୯(ନିପ୍ର): ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦର  ମହକୁମାରେ ମାନସିକ ଭିନ୍ନକ୍ଷମ ଯୁବତୀ (୩୧) ଆଠ ମାସର ଗର୍ଭବତୀ ଘଟଣା ଖବର କାଗଜରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ରାୟଗଡାରେ ଥିବା ମିଶନ ଶକ୍ତିର ଶକ୍ତି ସଜନ ଗୃହକୁ ନେଇ ସୁରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି। ଅଙ୍ଗନବାଡି କର୍ମୀ ରିତା ରଞ୍ଜନୀ ପଣ୍ଡା ଓ ସୁପରଭାଇଜର ଉମା ପାର୍ବତୀ ରୁଦ୍ରବନ୍ଧୁ ଏ ନେଇ ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରିଣୀ ରେଣୁ ବାଳା ପରିଡାଙ୍କୁ ସୂଚନା ଦେଇଥିଲେ। ଏହା ଜାଣିବା ପରେ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତି ପରିଡା ସ୍ଥାନୀୟ ଥାନାକୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇ ଥାନା ଅଧିକାରୀ ଅଜିତ ପରିଡା ଓ ତାଙ୍କ ଟିମ୍ ଭିନ୍ନକ୍ଷମ ପୀଡିତାଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ବିଭିନ୍ନ ଭାଷାରେ ପଚାରି ଥିଲେ। କିନ୍ତୁ ପୀଡିତାଠାରୁ କୌଣସି ଉତ୍ତର ପାଇପାରିନଥିଲେ। ଏହାକୁ ନେଇ ଆଇସିଡ଼ିଏସ ପକ୍ଷରୁ ପୀଡ଼ିତାକୁ ଉଦ୍ଧାର କରି ରାୟଗଡା ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଥାଉକି, ସ୍ଥାନୀୟ ହାଇସ୍କୁଲ ପଛ ଭାଗରେ ଥିବା ମଶାଣି ବଣ ଜଙ୍ଗଲ ଭିତରେ ଝାଟିମାଟି ଜରି କୁଡ଼ିଆ ଘରେ କିନ୍ନର ଭାଇ ସହ ରହିଆସୁଥିଲେ ଯୁବତୀ ଜଣକ। କେହି ଦୁର୍ବୃତ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲା। କିନ୍ତୁ ଏହା କେମିତି ହେଲା ସେ କିଏ କଲା ସେ କିଛି ଜାଣି ନଥିବା ଗିରିଆଗୁଡାର ଅଙ୍ଗନବାଡି କର୍ମୀ ରିତା ପଣ୍ଡା ନିକଟକୁ ଆସି ଗୁହାରି କରିଥିଲା। ଏହାକୁ ନେଇ କର୍ମୀ ଜଣକ ନିଜ ଅଧିକାରୀଙ୍କୁ ଜଣାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ଏହାପରେ ଅଙ୍ଗନବାଡି ପକ୍ଷରୁ ପୋଷଣ ଓ ମମତା କାର୍ଡ କରି ଗୋଟିଏ ଗର୍ଭବତୀଙ୍କୁ ଯାହା ଯାହା ଦେବା କଥା ତାହା ଦେଇ ନିଜ ପାଖରେ ଆଶ୍ରୟ ଦେଇ ରଖିଥିଲେ। ବର୍ତ୍ତମାନ ଉକ୍ତ ପୀଡିତାଙ୍କୁ ରାୟଗଡା ମିଶନଶକ୍ତିର ଶକ୍ତି ସଦନ ଗୃହକୁ ପଠାଇ ଦେଇଛନ୍ତି।