ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭବ୍ୟ ‘ନୂଆଁଖାଇ ଭେଟଘାଟ୍’
କଣ୍ଠଶିଳ୍ପୀ ସୁଚିତ୍ରା ଦାସଙ୍କ ସଙ୍ଗୀତ ପରିବେଷଣ ରହିଛି ମୁଖ୍ୟ ଆକର୍ଷଣ
ନୂଆଦିଲ୍ଲୀ, ୨୭/୦୯: ରାଜଧାନୀ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଓଡ଼ିଆଙ୍କ ମହାପର୍ବ ‘ନୂଆଁଖାଇ ଭେଟଘାଟ୍’। ‘ମିଲନ ପରିବାର, ନୂଆଦିଲ୍ଲୀ’ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଗଣପର୍ବର ସୁବାସ ଦିଲ୍ଲୀ ମାଟିରେ ପୁଣିଥରେ ମହକିବ।
ଏହି ଅବସରରେ ସମ୍ବଲପୁର ମାଟିର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଚିତ୍ରା ଦାସ ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇ ନିଜର ଯାଦୁକରୀ କଣ୍ଠସ୍ୱରରେ ମନୋଜ୍ଞ ସଙ୍ଗୀତ ପରିବେଷଣ କରିବେ। ପୂର୍ବରୁ ‘ଓଡ଼ିଆ ଅସ୍ମିତା’ ଚ୍ୟାନେଲର ବାର୍ଷିକ ଉତ୍ସବରେ ପ୍ରଶଂସନୀୟ ସଙ୍ଗୀତ ପରିବେଷଣ କରିଥିବା ସୁଚିତ୍ରା ଆଜିର ଭେଟଘାଟ୍ କାର୍ଯ୍ୟକ୍ରମରେ ମଧ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ।
ଦୂରଦୂରାନ୍ତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ନୂଆଁଖାଇର ଆନନ୍ଦ ନେବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ପାଳନ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ବେଶ୍ ଉତ୍ସାହର ସହ ଯୋଗ ଦେଉଛନ୍ତି। ଆଜିର ଏହି ରବିବାରୀୟ ସନ୍ଧ୍ୟା ଦିଲ୍ଲୀରେ ଏକ ଅତି ସୁନ୍ଦର ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।