ଡିଜେ ନେଲା ଜୀବନ, ବିକଟାଳ ଶବ୍ଦ ଓ କମ୍ପନରେ ଭୁଶୁଡିଲା ଛାତ ତାଜା

ଗଣେଶ ଭସାଣି ବେଳେ ବଡ଼ ଅଘଟଣ

ଜଟଣୀ, ୨୭/୦୯: ଗଣେଶ ପୂଜା ଭସାଣି ଶୋଭାଯାତ୍ରା ବେଳେ ଘଟିଛି ଅଘଟଣ। ଡିଜେର ବିକଟାଳ ଶବ୍ଦ ମଧ୍ୟରେ ଦୁଇ ମହଲା କୋଠାର କଂକ୍ରିଟ୍‌ ତାଜା ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଆହତମାନଙ୍କୁ ଜଟଣୀ ସମେତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଜଟଣୀର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ନିକଟରେ ଗଣେଶ ମେଢ଼ ଭସାଣି ପାଇଁ ଶୋଭାଯାତ୍ରା ଯାଉଥିଲା। ଶୋଭାଯାତ୍ରାରେ ଡିଜେ ବାଜୁଥିବା ବେଳେ ହଠାତ୍‌ ନିକଟରେ ଥିବା ଦୁଇ ମହଲା କୋଠାର କଂକ୍ରିଟ୍‌ ତାଜା ଭୁଶୁଡ଼ି ପଡ଼ିଥିଲା। ତାଜା ଭୁଶୁଡ଼ିବା ସମୟରେ ତଳେ ଥିବା ଲୋକଙ୍କ ଉପରେ କଂକ୍ରିଟ୍‌ ଓ ନିର୍ମାଣ ସାମଗ୍ରୀ ପଡ଼ିଯାଇଥିବାରୁ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଭସାଣି ଶୋଭାଯାତ୍ରାରେ ଥିବା ଲୋକେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଡିଜେ ବଜାଇବା ପାଇଁ ପୋଲିସର ଅନୁମତି ନଥିଲା। ଅନୁମତି ନଥିବା ସତ୍ତ୍ୱେ ଭସାଣି ଶୋଭାଯାତ୍ରାରେ ଉଚ୍ଚ ଶବ୍ଦରେ ଡିଜେ ବଜାଯାଉଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।