ଡିଜିଟାଲ୍ ନବସୃଜନ, ନିରନ୍ତର ଅନୁଭୂତି ଏବଂ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ପ୍ରଯୁକ୍ତିବିଦ୍ୟା-ଚାଳିତ, ସମାବେଶୀ ଓ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ
ହୋମ୍ଷ୍ଟେ ଯୋଜନାର ହିତାଧିକାରୀ ମାନଙ୍କ ଆର୍ଥିକ ସହାୟତା ପାଇଁ ଏସବିଆଇ, ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଏଏସଆଇ ଏବଂ ସାହସିକ ପର୍ଯ୍ୟଟନଭିତ୍ତିକ କାର୍ଯକ୍ରମ ପାଇଁ ‘ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍’ ସହ ଓଡ଼ିଶା ପର୍ଯ୍ୟଟନର ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୨୭/୦୯: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଡିଜିଟାଲ୍ ନବସୃଜନ, ନିରନ୍ତର ପର୍ଯ୍ୟଟନ, ସଂସ୍ଥାଗତ ଭାଗିଦାରୀ, ସାହସିକ ଓ ଐତିହ୍ୟ ପର୍ଯ୍ୟଟନ, ଉଦ୍ୟୋଗିତା ଏବଂ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦେଇ ‘ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬’ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
“ପର୍ଯ୍ୟଟନର ପୁନଃ ପରିକଳ୍ପନା ପାଇଁ ଡିଜିଟାଲ୍ ଆଜେଣ୍ଡା ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)” – ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ର ଏହି ମୂଳ ଭାବନା କୁ ଆଧାର କରି ଏହି ସମାରୋହ ଆୟୋଜିତ ହୋଇଥିଲା। ଏହା ପର୍ଯ୍ୟଟନ କ୍ଷେତ୍ରକୁ ସୁଗମ, ସଂଯୋଜିତ ଏବଂ ଭବିଷ୍ୟତ-ଉପଯୋଗୀ କରିବାରେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ଡିଜିଟାଲ୍ ସମାଧାନର ବୃଦ୍ଧିପାଉଥିବା ଭୂମିକାକୁ ଦର୍ଶାଇଥାଏ।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଜୀବିକା ସୃଷ୍ଟି, ଉଦ୍ୟୋଗିତାର ବିକାଶ ଏବଂ ସ୍ଥାନୀୟ ସମୁଦାୟକୁ ଓଡ଼ିଶାର ବିକାଶ ଯାତ୍ରାରେ ମୁଖ୍ୟ ଭାଗିଦାରୀ କରିବାରେ ପର୍ଯ୍ୟଟନର ପରିବର୍ତ୍ତନକାରୀ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ପ୍ରଯୁକ୍ତିବିଦ୍ୟା, ନିରନ୍ତରତା, ଐତିହ୍ୟ, ନବସୃଜନ ଏବଂ ସମୁଦାୟର ସହଭାଗିତାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ପର୍ଯ୍ୟଟନର ଲାଭ ଯେପରି ସ୍ଥାନୀୟ ସମୁଦାୟ ନିକଟରେ ପହଞ୍ଚିପାରିବ ଏବଂ ଯୁବବର୍ଗ, ମହିଳା, ଉଦ୍ୟୋଗୀ, କାରିଗର ଓ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ, ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହାଛଡ଼ା, ଡିଜିଟାଲ୍ ନବସୃଜନ ଓ ଉଦ୍ଭାବିତ ପ୍ରଯୁକ୍ତିବିଦ୍ୟା, ଗନ୍ତବ୍ୟ ସ୍ଥଳର ଆବିଷ୍କାର, ପର୍ଯ୍ୟଟନ ସେବା ପ୍ରାପ୍ତି ଏବଂ ପର୍ଯ୍ୟଟକଙ୍କ ସମଗ୍ର ଅନୁଭୂତିରେ ସୁଧାର ଆଣିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶାର ପର୍ଯ୍ୟଟନ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ ସମନ୍ୱିତ ଉଦ୍ୟମ, ସଂସ୍ଥାଗତ ଭାଗିଦାରୀ ଏବଂ ନବସୃଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପର୍ଯ୍ୟଟନ ବିକାଶ ଦ୍ୱାରା ଗନ୍ତବ୍ୟ ସ୍ଥଳଗୁଡ଼ିକର ସୁପରିଚାଳନା ସହ ସ୍ଥାନୀୟ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ସେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଆଗମନ ସହ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଓ ଭ୍ରମଣ ଅନୁଭୂତିକୁ ଉନ୍ନତ କରିବା ପାଇଁ OTDC ଲକ୍ସରୀ କୋଚ୍ଗୁଡ଼ିକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ପ୍ରସାରଣ ଏବଂ ଓଡ଼ିଶା ପର୍ଯ୍ୟଟନର ବିବିଧ ଆକର୍ଷଣ ଓ ପଦକ୍ଷେପ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।
ତୃଣମୂଳ ସ୍ତରର ଉଦ୍ୟୋଗିତା ଏବଂ ସ୍ଥାନୀୟ ସମୁଦାୟର ନେତୃତ୍ୱରେ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ମଧ୍ୟରେ ହୋମ୍ଷ୍ଟେଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା। ସେହିପରି, ସାହସିକ ପର୍ଯ୍ୟଟନର ପ୍ରସାର ପାଇଁ “ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍” ସହ ଅନ୍ୟ ଏକ ବୁଝାମଣାପତ୍ର (MoU )ସ୍ୱାକ୍ଷରିତ ହୋଇଥିଲା।
ଏହି ଅବସରରେ ବାରକୁଲଠାରେ OTDC ଇଭି (EV) ବୋଟ୍ ଏବଂ ଚିଲିକା ହ୍ରାଦରେ ସ୍ୱସ୍ତି (Swosti) ଦ୍ୱାରା ପରିଚାଳିତ କ୍ୟାଟାମାରାନ୍ର ଆଭାସୀ (Virtual) ଶୁଭାରମ୍ଭ କରାଯାଇଥିଲା।
ଐତିହ୍ୟ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ASIର ମହାନିର୍ଦ୍ଦେଶକ ଶ୍ରୀ ଯଦୁବୀର ସିଂ ରାୱତ ସମାବେଶକୁ ସମ୍ବୋଧିତ କରି ଭାରତର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। UNDPର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଶ୍ରୀମତୀ ଇସାବେଲ୍ ତ୍ସାନ୍ ମଧ୍ୟ ଆନ୍ତର୍ଜାତୀୟ ବିକାଶ ଦୃଷ୍ଟିକୋଣରୁ ପର୍ଯ୍ୟଟନ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହୋମ୍ଷ୍ଟେ ଯୋଜନା ଅଧୀନରେ ୧୭୬ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର (PRC) ଏବଂ ସାହସିକ ପର୍ଯ୍ୟଟନ ଆୟୋଜକଙ୍କୁ LTO/RTS ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। “ଡିଜିଟାଲ୍ ନବସୃଜନ ସହ ପର୍ଯ୍ୟଟନର ପୁନଃ ପରିକଳ୍ପନା” ଶୀର୍ଷକ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ହୋମ୍ଷ୍ଟେ ପରିଚାଳକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଏବଂ ଏଥନିକ୍ ପର୍ଯ୍ୟଟନ ସମ୍ପର୍କରେ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା।
ସମାବେଶକୁ ସମ୍ବୋଧିତ କରି ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳୱନ୍ତ ସିଂହ ପ୍ରକାଶ କରିଥିଲେ ଯେ, ଏହି ସମାରୋହରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଓଡ଼ିଶାରେ ନୂତନ ଏବଂ ବିବିଧ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗିତା, ସଂସ୍ଥାଗତ ସହଯୋଗ ଓ ସମୁଦାୟର ସହଭାଗିତାକୁ ମଜବୁତ କରିବ।
ସୂଚନାଯୋଗ୍ୟ ଯେ ଦିନବ୍ୟାପୀ ଚାଲିଥିବା ଏହି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ସମାପନ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଐତିହାସିକ ଖଣ୍ଡଗିରିଠାରେ ନୂତନ ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଆନୁଷ୍ଠାନିକ ଉଦ୍ଘାଟନ କରିବେ।