ଭୁବନେଶ୍ୱର, ୨୯।୦୯: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମସ) ପକ୍ଷରୁ ସୋମବାର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି। ଏହି ଅବସରରେ କିମସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ କିମ୍ସର କାର୍ଡିଓଲୋଜି ବିଭାଗର ଡାକ୍ତର, କର୍ମଚାରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ହୃଦୟ ସୁସ୍ଥତାର ଗୁରୁତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା ଏହି ସଚେତନତା ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ସାମୂହିକ ସିପିଆର ପ୍ରଶିକ୍ଷଣ। ଏଥିରେ କିସରୁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହୃଦ୍ଘାତଜନିତ ଜରୁରୀ ପରିସ୍ଥିତିରେ କାର୍ଡିଓପଲମୋନାରି ରିସସିଟେସନ୍ (ସିପିଆର)ର ଗୁରୁତ୍ୱ ଏବଂ ଏହାର ପ୍ରାଥମିକ ପଦକ୍ଷେପ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
କୌଣସି ବ୍ୟକ୍ତି ହୃଦ୍ଘାତର ଶିକାର ହୋଇ ଅଚେତ ହୋଇପଡ଼ିଲେ କିମ୍ବା ସ୍ୱାଭାବିକ ଭାବେ ନିଃଶ୍ୱାସ ନେଉନଥିଲେ, ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ସିପିଆର ତୁରନ୍ତ ଜୀବନ ରକ୍ଷାରେ ସହାୟକ ହୋଇପାରେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ଜରୁରୀ ସମୟରେ ତୁରନ୍ତ ସହାୟତା ଯୋଗାଇପାରୁଥିବା ପ୍ରଶିକ୍ଷିତଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବା ଲକ୍ଷ୍ୟ ରହିଥିଲା।
ଏହି କାର୍ଯ୍ୟକ୍ରମରେ କିସର ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା. ଆର.ଏନ୍. ସାମନ୍ତ, କାର୍ଡିଓଲୋଜି ବିଭାଗ ମୁଖ୍ୟ ଡା. ସୁବାଶିଷ ମିଶ୍ର, ପ୍ରଫେସର ଡା. ପଞ୍ଚାନନ ସାହୁ, ନିଶ୍ଚେତକ ବିଭାଗର ଡା. ଅଶୋକ କୁମାର ବଡ଼ମାଳୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।