ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ଶିଳ୍ପ ଟାଉନସିପ୍କୁ ସ୍ଥାୟୀ ପରିବେଶ ପଦକ୍ଷେପ ପାଇଁ ଓଏସପିସିବି ସମ୍ମାନ
ଝାରସୁଗୁଡ଼ାର ବେଦାନ୍ତ ମେଡୋଜ୍କୁ ‘ଏମ୍.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର-୨୦୨୬’
ଝାରସୁଗୁଡ଼ା, ୨୯/୦୯: ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ବେଦାନ୍ତ ଆଲୁମିନିୟମକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ଏମ୍.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି। ଶିଳ୍ପ ଟାଉନସିପ୍ ବର୍ଗରେ ଏହି ସମ୍ମାନ ଝାରସୁଗୁଡ଼ାସ୍ଥିତ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ନିର୍ମିତ ଆଧୁନିକ ଆବାସିକ ଟାଉନସିପ୍ ‘ବେଦାନ୍ତ ମେଡୋଜ୍’କୁ ମିଳିଛି।
ଏହି ସମ୍ମାନ ଶିଳ୍ପ ପରିଚାଳନାଠାରୁ ଆରମ୍ଭ କରି କର୍ମଚାରୀଙ୍କ ଆବାସିକ ସୁବିଧା ପର୍ଯ୍ୟନ୍ତ କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ପରିବେଶ ଅଭ୍ୟାସକୁ ସଫଳତାର ସହ ଅନ୍ତର୍ଭୁକ୍ତ କରିବାର ପ୍ରୟାସକୁ ସ୍ୱୀକୃତି ଦେଇଛି।
ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ ପରିବେଶ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ, ସମ୍ପଦର ଦାୟିତ୍ୱପୂର୍ଣ୍ଣ ପରିଚାଳନା, ପ୍ରକ୍ରିୟାଗତ ନିୟନ୍ତ୍ରଣ ଏବଂ ସମୁଦାୟ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ଭଳି ବିଭିନ୍ନ ପଦକ୍ଷେପ ଜରିଆରେ ଏହାର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଆଗେଇ ନେଉଛି। ‘ବେଦାନ୍ତ ମେଡୋଜ୍’ ଏହି ବହୁମୁଖୀ ପରିବେଶ ଦୃଷ୍ଟିକୋଣର ଏକ ଉଦାହରଣ। ପରିବେଶ ଦାୟିତ୍ୱକୁ ପ୍ରାଧାନ୍ୟ ଦେଇ ବିଶେଷଜ୍ଞ ସ୍ଥପତିଙ୍କ ଦ୍ୱାରା ଏହି ଆବାସିକ ପରିସରର ପରିକଳ୍ପନା କରାଯାଇଛି। ଏଠାରେ ଅଭିନବ ସ୍ଥାୟୀ ନିର୍ମାଣ ଡିଜାଇନ୍, ବ୍ୟାପକ ସବୁଜ କ୍ଷେତ୍ର ଏବଂ ଦକ୍ଷ ପରିବେଶ ପରିଚାଳନା ବ୍ୟବସ୍ଥା ରହିଛି, ଯାହା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ସୁଖଦ ଆବାସିକ ପରିବେଶ ସୃଷ୍ଟି କରୁଛି।
କମ୍ପାନୀର ସ୍ଥାୟୀ ବିକାଶ ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଛନ୍ତି, “ଝାରସୁଗୁଡ଼ାରେ ଆମର ବିକାଶ ଯାତ୍ରାର କେନ୍ଦ୍ରରେ ସ୍ଥାୟୀ ବିକାଶ ରହିଛି। ପରିଚାଳନାଗତ ଉତ୍କର୍ଷତା ସହିତ ପ୍ରାକୃତିକ ସମ୍ପଦ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, ଅଧିକ ସବୁଜ କ୍ଷେତ୍ର ସୃଷ୍ଟି ଏବଂ ସମୁଦାୟ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ଉପରେ ଆମେ ଗୁରୁତ୍ୱ ଦେଉଛୁ। ଶିଳ୍ପ ବିକାଶ ଓ ପରିବେଶ ସୁରକ୍ଷା ଯେପରି ସମାନ୍ତରାଳ ଭାବେ ଆଗକୁ ବଢ଼େ, ତାହା ନିଶ୍ଚିତ କରିବା ଆମର ଲକ୍ଷ୍ୟ। ବେଦାନ୍ତ ମେଡୋଜ୍କୁ ମିଳିଥିବା ଏହି ସ୍ୱୀକୃତି ଲୋକଙ୍କ ଓ ପୃଥିବୀର ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରୁଥିବା ସ୍ଥାୟୀ ଶିଳ୍ପ ପରିବେଶ ଗଠନ ଦିଗରେ ଆମ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରେରଣା ଯୋଗାଇବ।”
ମୁଖ୍ୟ କାର୍ଯ୍ୟକଳାପ ବାହାରେ ମଧ୍ୟ ଏହି ପରିବେଶ ପ୍ରତିବଦ୍ଧତାକୁ ବିସ୍ତାର କରି ବେଦାନ୍ତ ଆଲୁମିନିୟମ ନିକଟରେ ଝାରସୁଗୁଡ଼ାସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏଚ୍. କଟାପାଲିସ୍ଥିତ ପିକେଏସଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପରିବେଶ ସଚେତନତା ଅଭିଯାନ-୨୦୨୬’ ଆୟୋଜନ କରିଥିଲା। ଏହି ଅଭିଯାନରେ ବୃକ୍ଷରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ, ସଚେତନତା ଅଧିବେଶନ, ରାସ୍ତା ନାଟକ ଏବଂ ସମୁଦାୟ ସହଭାଗିତା ଭଳି କାର୍ଯ୍ୟକ୍ରମ ସାମିଲ କରାଯାଇଥିଲା। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ଥାୟୀ ପରିବେଶ ଅଭ୍ୟାସ ସମ୍ପର୍କରେ ସଚେତନତା ବୃଦ୍ଧି ମଧ୍ଯ କରାଯାଇଥିଲା।
ଏହା ସହିତ, କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଜୈବ ବିବିଧତା ସଂରକ୍ଷଣ ଓ ସବୁଜ ଆବରଣ ବୃଦ୍ଧି ପାଇଁ ‘ମାତୃବନ’ ବୃକ୍ଷରୋପଣ ପ୍ରକଳ୍ପ ଭଳି ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ସେହିପରି ସମ୍ପଦର ଦକ୍ଷ ବ୍ୟବହାର ବୃଦ୍ଧି ଏବଂ ଶିଳ୍ପ କାର୍ଯ୍ୟକଳାପରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନର ତୀବ୍ରତା ହ୍ରାସ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିଭିତ୍ତିକ ସମାଧାନ ମଧ୍ୟ ପ୍ରୟୋଗ କରାଯାଉଛି।
ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଓ ସ୍ଥାୟୀ ବିକାଶ ପ୍ରତି ବେଦାନ୍ତ ଆଲୁମିନିୟମର ବ୍ୟାପକ ଦୃଷ୍ଟିକୋଣକୁ ଏହି ସମସ୍ତ ପଦକ୍ଷେପ ସମର୍ଥନ କରୁଛି। ଏହି ପ୍ରୟାସଗୁଡ଼ିକର ଅବଦାନ ଫଳରେ କମ୍ପାନୀ ଏସ୍ଆଣ୍ଡପି ଗ୍ଲୋବାଲ୍ର କର୍ପୋରେଟ୍ ସସ୍ଟେନେବିଲିଟି ଆସେସମେଣ୍ଟରେ ବିଶ୍ୱର ଶୀର୍ଷ ଆଲୁମିନିୟମ ଉତ୍ପାଦକମାନଙ୍କ ମଧ୍ୟରେ କ୍ରମାଗତ ଭାବେ ସ୍ଥାନ ପାଇଆସୁଛି।