ରାୟଗଡ଼ା, ୨୯/୦୯(ଦକ୍ଷ ବାଥ୍ରା): ରାୟଗଡ଼ା ପୌର ପରିଷଦ ରାଜନୀତିରେ ଆଜି ଦେଖିବାକୁ ମିଳିଛି ନାଟକୀୟ ଘଟଣାକ୍ରମ। ସକାଳେ ପୌର ପରିଷଦର ନୂଆ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଆଉ କିଛି ସମୟ ପରେ ଦଳରୁ ନିଲମ୍ବନ। ଏହି ଘଟଣାକୁ ନେଇ ରାୟଗଡ଼ା ପୌର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ଆଜି ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ନୂଆ ଉପାଧ୍ୟକ୍ଷା ଭାବେ ଘୋଷଣା କରାଯାଇଥିଲା।ତେବେ ଏହି ଖୁସି ବେଶି ସମୟ ରହିନଥିଲା। ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବାର କିଛି ସମୟ ପରେ ଶ୍ରମିତା ପାଢ଼ୀ ଏବଂ ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗରେ ଏହି ଦୁଇ ନେତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଆଜି ଅଫିସ୍ ଅର୍ଡର ଜାରି କରି ଏହି ନିଲମ୍ବନ ସମ୍ପର୍କରେ ସୂଚନା ଦେଇଥିବା କୁହାଯାଇଛି।ଏହି ଘଟଣାକ୍ରମକୁ ନେଇ ବରିଷ୍ଠ ନେତା ସୁଧୀର ଦାସ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବାନୁସାରେ, ପୌର ଉପାଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନ ସମ୍ପର୍କରେ ସୂଚନା ପାଇବା ପରେ ପୌରାଧ୍ୟକ୍ଷ ମହେଶ ପଟ୍ଟନାୟକ ଦଳକୁ ଏନେଇ କୌଣସି ସୂଚନା ନଦେଇ କିପରି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଲେ, ତାହା ନେଇ ପ୍ରଶ୍ନ ଉଠିଛି।
ଦଳୀୟ ଅନୁମତି କିମ୍ବା ଅବଗତି ବିନା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ହିଁ ନିଲମ୍ବନର ପ୍ରମୁଖ କାରଣ ବୋଲି ଦଳୀୟ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ନିଲମ୍ବିତ ଦୁଇ ନେତାଙ୍କ ପକ୍ଷରୁ ତତ୍କାଳୀନ ପ୍ରତିକ୍ରିୟା ମିଳିନାହିଁ।ଆଜିର ଏହି ଆକସ୍ମିକ ଘଟଣାକ୍ରମ ପୌର ପରିଷଦ ରାଜନୀତିରେ ଚାଲିଥିବା ଟଣାଓଟରାକୁ ଆହୁରି ଚର୍ଚ୍ଚାକୁ ଆଣିଛି। ଗୋଟିଏ ପଟେ ନୂଆ ଉପାଧ୍ୟକ୍ଷାଙ୍କ ନିର୍ଦ୍ୱନ୍ଦ୍ୱ ନିର୍ବାଚନ, ଅନ୍ୟପଟେ ସେହି ଦିନରେ ଦଳୀୟ ନିଲମ୍ବନ—ଆଗାମୀ ଦିନରେ ରାୟଗଡ଼ା ପୌର ପରିଷଦର ରାଜନୈତିକ ସମୀକରଣ କେଉଁ ଦିଗକୁ ଯିବ, ତାହାକୁ ନେଇ ନୂଆ ପ୍ରଶ୍ନ ଉଠିଛି।