ରାୟଗଡା/ବିଷମକଟକ, ୧୨/୧୦ (ଦକ୍ଷ ବାଥ୍ରା): ମା’ ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ମନୋନୟନକୁ ନେଇ ଅସନ୍ତୋଷ ତେଜିଛି। ଚୟନ ପ୍ରକ୍ରିୟାରେ ଅନିୟମିତତା ଓ ପାତରଅନ୍ତର ଅଭିଯୋଗ କରି ସୋମବାର କଳା ବିଭାଗର ଶତାଧିକ ଛାତ୍ରଛାତ୍ରୀ କଲେଜ ପରିସରରେ ଧାରଣା ଦେଇଛନ୍ତି। ମନୋନୟନକୁ ବାତିଲ କରି ପୁନର୍ବାର ସ୍ୱଚ୍ଛ ଭାବେ ଚୟନ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ଏତଲା ଦିଆଯିବ ବୋଲି ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଚେତାବନୀ ଦେଇଛନ୍ତି।ପ୍ରାୟ ୮ ବର୍ଷ ପରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି। ତେବେ ପ୍ରଥମ ଥର ନିର୍ବାଚନରେ ସାମିଲ ହେଉଥିବା ମହାବିଦ୍ୟାଳୟଗୁଡ଼ିକରେ ମନୋନୟନ ମାଧ୍ୟମରେ ଛାତ୍ର ପ୍ରତିନିଧି ଚୟନ ବ୍ୟବସ୍ଥା ରହିଛି। ଏହି କ୍ରମରେ ଗତ ୯ ତାରିଖରେ ବିଷମକଟକ ମା’ ମାର୍କମା ମହାବିଦ୍ୟାଳୟରେ ଚୟନ ପ୍ରକ୍ରିୟା ହୋଇଥିଲା। କଳା ଓ ବିଜ୍ଞାନ ବିଭାଗର ୧୦ଟି ବିଭାଗରୁ ପ୍ରତ୍ୟେକରେ ୩ ଜଣ ଲେଖାଏଁ ଛାତ୍ର ପ୍ରତିନିଧି ମନୋନୀତ ହୋଇଥିଲେ। ଏହି ପ୍ରତିନିଧିମାନେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକଙ୍କ ସମେତ ବିଭିନ୍ନ ପଦବୀ ପାଇଁ ଚୟନ କରିଥିଲେ। ଆସନ୍ତା ୧୫ ତାରିଖରେ ମନୋନୀତ ପ୍ରତିନିଧିଙ୍କ ନାମ ଘୋଷଣା ହେବାକୁ ଥିବାବେଳେ ୧୬ ତାରିଖରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।
କଳା ବିଭାଗର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ମନୋନୟନ ସମୟରେ ବିଜ୍ଞାନ ବିଭାଗକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାବେଳେ କଳା ବିଭାଗକୁ ଅଣଦେଖା କରାଯାଇଛି। କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ ନିୟମ ଉଲ୍ଲଂଘନ କରି ଚୟନ କରିଥିବା କଳା ବିଭାଗର ଛାତ୍ରୀ ମୋନାଲିସା ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଛାତ୍ର ବିକାଶ ପ୍ରାସ୍କା କହିଛନ୍ତି ଯେ ମଙ୍ଗଳବାର ସୁଦ୍ଧା ଆଲୋଚନା କରି ପୁନଃ ମନୋନୟନ କରା ନ ଗଲେ କଲେଜରେ ତାଲା ପକାଇ ଆନ୍ଦୋଳନ କରାଯିବ।
ତେବେ ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ବିଜ୍ଞାନ ବିଭାଗର ଆଇଟି ଅନର୍ସ ଛାତ୍ର ରାଜକୁମାର ଶବର କହିଛନ୍ତି। ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିୟମ ଅନୁଯାୟୀ ମନୋନୟନ ହୋଇଥିବା ସେ ଦାବି କରିଛନ୍ତି। ଏପରିକି ମନୋନୟନ ପରେ ଆପତ୍ତି ଜଣାଇବା ପାଇଁ ସମୟ ଦିଆଯାଇଥିଲେ ମଧ୍ୟ ସେତେବେଳେ କେହି ବିରୋଧ କରିନଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି।ଏହି ବିବାଦକୁ ନେଇ ଉପଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ଛାତ୍ରଛାତ୍ରୀଙ୍କୁ ପ୍ରରୋଚିତ କରିବା କିମ୍ବା କଲେଜରେ ତାଲା ପକାଇ ନିର୍ବାଚନ ପ୍ରକ୍ରିୟାରେ ବାଧା ଦେବା ଭଳି ଘଟଣା ଘଟିଲେ ଏତଲା ଦିଆଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏବେ ମନୋନୟନକୁ ନେଇ ଛାତ୍ରଛାତ୍ରୀଙ୍କ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେଇଥିବାବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।