ଜୀବନ ଦର୍ଶନରେ ବହି ଓ ପ୍ରକୃତିର ଅବଦାନ

‘ବହି’ ମାନବ ସଭ୍ୟତାର ସ୍ମୃତି ଭଣ୍ଡାର

ଜୀବନ ଦର୍ଶନ କହିଲେ ଆମକୁ ମନେ ପଡେ ଜୀବନର ଲକ୍ଷ୍ୟ କଣ, ମୂଲ୍ୟ କଣ ଏବଂ ମଣିଷ କେମିତି ବଞ୍ଚିବା ଉଚିତ। ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମଣିଷ ବହୁ ସ୍ଥାନକୁ ଯାଏ, କିନ୍ତୁ ଦୁଇଜଣ ଗୁରୁ ସର୍ବଦା ଆମ ପାଖରେ ଅଛନ୍ତି। ଜଣେ ହେଲା ବହି ଆଉ ଜଣେ ହେଲା ପ୍ରକୃତି। ଦୁହେଁ ନୀରବରେ ଶିକ୍ଷା ଦିଅନ୍ତି, ବିନା କୌଣସି ସ୍ୱାର୍ଥରେ।

ବହି ହେଲା ମାନବ ସଭ୍ୟତାର ସ୍ମୃତି ଭଣ୍ଡାର। ଗୋଟିଏ ବହି ଭିତରେ ହଜାର ବର୍ଷର ଜ୍ଞାନ, ଅନୁଭୂତି ଓ କଳ୍ପନା ବନ୍ଧା ହୋଇ ରହିଥାଏ। ଗୀତା, ଉପନିଷଦ, ଭାଗବତ ପରି ଗ୍ରନ୍ଥ ଆମକୁ ଜୀବନର ତତ୍ତ୍ୱ ବୁଝାଏ, ଯେତେବେଳେ ମଣିଷ ଦୁଃଖରେ ଥାଏ ସେତେବେଳେ ବହି ହିଁ ସାହା ଭରସା ଦିଏ। ଗୋଟିଏ ଭଲ ବହି କେବେ ବି ନିର୍ଜୀବ କାଗଜ ନୁହେଁ, ସେ ଗୋଟିଏ ଜୀବନ୍ତ ବନ୍ଧୁ। ସେ ରାଗେ ନାହିଁ, କ୍ରୋଧ କରେ ନାହିଁ, କେବଳ ଅପେକ୍ଷା କରେ କେବେ ଆମେ ତାକୁ ଖୋଲିବୁ। ଆଜି ସମାଜରେ ଯେତେ ଟେକ୍ନୋଲୋଜି ବଢୁଛି, ମୋବାଇଲ ସ୍କ୍ରିନ ବଢୁଛି, ସେତେ ବହି ପଢିବା ଅଭ୍ୟାସ କମି ଯାଉଛି। କିନ୍ତୁ ସ୍କ୍ରିନ କେବଳ ତଥ୍ୟ ଦେଇପାରେ, ଦର୍ଶନ ଦେଇପାରେ ନାହିଁ। ଦର୍ଶନ ଦେଉଛି ବହି।

ସେହିପରି ପ୍ରକୃତି ହେଲା ଆମର ପ୍ରଥମ ପାଠଶାଳା। ପ୍ରକୃତି ଆମକୁ ନୀରବରେ ସହନଶୀଳତା ଶିକ୍ଷା ଦିଏ। ଗଛଟି ଫୁଲ ଫଳ ଦେଇ ବି କେବେ ଗର୍ବ କରେ ନାହିଁ, ନଦୀ ନିରବଚ୍ଛିନ୍ନ ଭାବେ ବହି ଚାଲି ସମସ୍ତଙ୍କୁ ଜଳ ଦିଏ, ପାହାଡ ସ୍ଥିର ହୋଇ ଛିଡା ହୋଇ ବି ଅଟଳ ରହେ। ସୂର୍ଯ୍ୟ ପ୍ରତିଦିନ ବିନା ଭେଦଭାବରେ ଆଲୋକ ବାଣ୍ଟେ, ଏହା ହିଁ ସମତା। ଜୀବନରେ ଦୁଃଖ ଆସିବ, ସୁଖ ଆସିବ, ଋତୁ ପରି ବଦଳିବ, ଏହି କଥା ପ୍ରକୃତି ଆମକୁ ଶିଖାଏ। ଗଛର ପତ୍ର ଝଡି ଯାଏ ପୁଣି ନୂଆ ପତ୍ର ଆସେ, ଏହା ଆମକୁ ପୁନର୍ଜନ୍ମର ଆଶା ଦିଏ। ପ୍ରକୃତିକୁ ଦେଖି ମଣିଷ ନିଜକୁ ଛୋଟ ଭାବେ, ଅହଙ୍କାର କମି ଯାଏ, ହୃଦୟ ବିଶାଳ ହୁଏ।

ବହି ଓ ପ୍ରକୃତି ଦୁହେଁ ପରସ୍ପରର ପରିପୂରକ। ବହିରେ ଆମେ ପ୍ରକୃତି ବିଷୟରେ ପଢୁ, ପ୍ରକୃତି ଭିତରେ ବହିର ଜ୍ଞାନକୁ ଅନୁଭବ କରୁ। ବହି ବୁଦ୍ଧିକୁ ତୀକ୍ଷ୍ଣ କରେ, ପ୍ରକୃତି ହୃଦୟକୁ କୋମଳ କରେ। ଯେତେବେଳେ ଦୁଇଟା ମିଶିଯାଏ ସେତେବେଳେ ସମ୍ପୂର୍ଣ ଜୀବନ ଦର୍ଶନ ସୃଷ୍ଟି ହୁଏ। ଜଣେ ଜ୍ଞାନୀ ମଣିଷ କେବଳ ପୁସ୍ତକ ପାଠ କରି ଜ୍ଞାନୀ ହୁଏ ନାହିଁ, ସେ ପ୍ରକୃତି ସହିତ ମିଶିଲେ ଜ୍ଞାନକୁ ପ୍ରଜ୍ଞାରେ ପରିଣତ କରେ।

ଆଜିର ଧୈର୍ଯ୍ୟହୀନ ସମୟରେ ଯୁବପିଢି ପାଇଁ ଦୁଇଟା ଆବଶ୍ୟକ, ପ୍ରତିଦିନ କିଛି ସମୟ ବହି ସହିତ ଆଉ କିଛି ସମୟ ପ୍ରକୃତି ସହିତ। ସକାଳୁ ଉଠି ମିଠା ପବନରେ ଚାଲୁ ଚାଲୁ, ସନ୍ଧ୍ୟାରେ ଗୋଟେ ଭଲ ବହି ଧରି ବସ, ଜୀବନର ଦର୍ଶନ ଆପେ ଆପେ ବଦଳି ଯିବ। ଜୀବନ ଦର୍ଶନ କଣ ବୋଲି କୋଉଠି ଖୋଜିବା ଦରକାର ନାହିଁ, ବହି ଖୋଲ, ପ୍ରକୃତିକୁ ଅନାଇ ଦେଖ, ଉତ୍ତର ସେଠି ଅଛି।