ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ଭେଟିଲେ ଡଃ ତିରୁପତି ପାଣିଗ୍ରାହୀ
ଗଜପତି ଜିଲ୍ଲାର ସାମଗ୍ରିକ ବିକାଶ ଓ ଚାଷୀମାନଙ୍କ ଉନ୍ନତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ
ଭୁବନେଶ୍ୱର, ୧୩/୧୦: ଗଜପତି ଜିଲ୍ଲାର ସାମଗ୍ରିକ ବିକାଶ ଓ ଚାଷୀମାନଙ୍କ ଉନ୍ନତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ।
ଏହି ଗସ୍ତ କାଳରେ, ଗଜପତି ଜିଲ୍ଲା ବିଶେଷ କରି ପାରଳାଖେମୁଣ୍ଡି ଅଞ୍ଚଳର ଆର୍ଥିକ ଓ ସାମାଜିକ ପ୍ରଗତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା।
ଗଜପତି ଜିଲ୍ଲା ସଦାସର୍ବଦା ରାଜ୍ୟର ସବୁଜ ବିପ୍ଲବର ଏକ ପ୍ରମୁଖ ଅଂଶ ହୋଇରହିଛି। ଏଠାକାର କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ସାହାଯ୍ୟ ଓ ସହଯୋଗ ପ୍ରଶଂସନୀୟ। ବିଶେଷ କରି ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ନିଶୁଳ୍କ ସୋଲାର ସିଷ୍ଟମ ଯୋଜନା ଯୋଗୁଁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ଅନେକ ଦିନର ଦୁଃଖ-ଦୁର୍ଦ୍ଦଶା ଦୂର ହୋଇପାରିଛି। ଚାଷକାର୍ଯ୍ୟ ସୁରୁଖୁରୁରେ ଚାଲୁଥିବାରୁ ଗଜପତିବାସୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।
ଅଞ୍ଚଳର କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଗାମୀ ଦିନରେ ଆହୁରି ମଜବୁତ୍ କରିବା ପାଇଁ ସରକାରଙ୍କ ଏହି ସହଯୋଗ ନିରନ୍ତର ଜାରି ରହିବ ବୋଲି ଆଶା ପ୍ରକାଶ ପାଇଛି।