ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିଥିଲା ଐତିହାସିକ ପରିବର୍ତ୍ତନ
ଶିକ୍ଷା ଓ କଲେଜର ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ଶିଖର ଛୁଇଁଥିଲା ଓଡ଼ିଶା
ଭୁବନେଶ୍ୱର, ୧୩/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଛାତ୍ର ନାମଲେଖା, ନୂତନ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ନିର୍ମାଣ, ଛାତ୍ରବୃତ୍ତି ପ୍ରଦାନ, ବୈଷୟିକ ଶିକ୍ଷାର ବିକାଶ ତଥା ଭିତ୍ତିଭୂମୀ ଉନ୍ନୟନ କ୍ଷେତ୍ରରେ ଓଡ଼ିଶା ଶିଖର ଛୁଇଁଥିଲା ବୋଲି ବିଜେଡି କହିଛି ।
ଆଜି ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ୨୦୦୦ରେ ୩.୨ ଲକ୍ଷରୁ ବୃଦ୍ଧି ପାଇ ୨୦୨୩ରେ ୬.୫ ଲକ୍ଷରେ ପହଞ୍ଚିଥିଲା, ଯେଉଁଥିରେ ୩.୮ ଲକ୍ଷ ବାଳିକା । ମୋଟ ନାମଲେଖା ଅନୁପାତ ୧୧%ରୁ ୨୧%କୁ ବୃଦ୍ଧି ପାଇଥିଲା । ଏହି ସମୟ ମଧ୍ୟରେ ମହାବିଦ୍ୟାଳୟ ସଂଖ୍ୟା ୫୪୮ରୁ ୧,୦୨୪, ବିଶ୍ୱବିଦ୍ୟାଳୟ ସଂଖ୍ୟା ୮ରୁ ୪୨, ମେଡିକାଲ କଲେଜ ସଂଖ୍ୟା ୩ରୁ ୧୫କୁ ବୃଦ୍ଧି ପାଇଥିଲା । ଉଚ୍ଚଶିକ୍ଷା ବିଭାଗର ବଜେଟ ୪୭୩ କୋଟିରୁ ବୃଦ୍ଧି ପାଇ ୩,୧୭୩ କୋଟିରେ ପହଞ୍ଚିଥିଲା ଏବଂ ଭିତ୍ତିଭୂମି ଖର୍ଚ୍ଚ ୨୦ କୋଟିରୁ ୨୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟି, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆଇଆଇଟି, ଏମ୍ସ, ନାଇଜର, ଆଇଜର, ଆଇଆଇଏମ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଜାତୀୟ ଅନୁଷ୍ଠାନ ପାଇଁ ବ୍ୟାପକ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଏବଂ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା (ନୂଆ-ଓ) ଛାତ୍ରବୃତ୍ତି ଭଳି ଯୋଜନା ଲାଗୁ କରାଯାଇଥିଲା । ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ମାଗଣା ଲ୍ୟାପଟପ ବିତରଣ କରାଯିବା ସହ ମାଗଣା ୱାଇ-ଫାଇ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା । ନୂଆ-ଓ ଛାତ୍ରବୃତ୍ତି ଯୋଜନାକୁ ବର୍ତ୍ତମାନର ବିଜେପି ସରକାର ବନ୍ଦ କରିଦେଇଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଚଏସ-ବେସଡ କ୍ରେଡିଟ ସିଷ୍ଟମ, ଓଡ଼ିଶା ଉଚ୍ଚଶିକ୍ଷା ଏକ୍ସିଲେନ୍ସ ପ୍ରୋଗ୍ରାମ, ଓଡ଼ିଶା ୟୁନିଭରସିଟି ରିସର୍ଚ୍ଚ ଆଣ୍ଡ ଇନୋଭେସନ ପ୍ଲାନ ଓ ବହୁ ସଂଖ୍ୟକ ଅଧ୍ୟାପକ ନିଯୁକ୍ତି ମାଧ୍ୟମରେ ଶୈକ୍ଷିକ ବାତାବରଣର ବିକାଶ ହୋଇପାରିଥିଲା । ୨୦୧୯ରେ ଆରମ୍ଭ ହୋଇଥିବା “ମୋ କଲେଜ ଅଭିଯାନ’ ପୂରାତନ ଛାତ୍ରଙ୍କୁ ସେମାନଙ୍କ ଆଲମା ମ୍ୟାଟର ସହିତ ଯୋଡ଼ି ପ୍ରାୟ ୮୫୦ଟି ଅନୁଷ୍ଠାନ ବିକଶିତ ହୋଇ ମର୍ଯ୍ୟାଦାଜନକ ସ୍କର୍ଚ ପୁରସ୍କାର ହାସଲ କରିଥିଲା ଓଡ଼ିଶା । ଓଡ଼ିଶା ୟୁନିଭରସିଟି (ସଂଶୋଧନ) ଆଇନ ୨୦୨୦ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଶାସନ ବ୍ୟବସ୍ଥାକୁ ଆଧୁନିକ ଓ ଦକ୍ଷ କରାଯିବା ସହ ସାମ୍ସ ମାଧ୍ୟମରେ କେନ୍ଦ୍ରୀକୃତ ନାମଲେଖା ବ୍ୟବସ୍ଥା ଲାଗୁ କରାଯାଇଥିଲା ।
ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତାସମ୍ପନ୍ନ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ସଂକଳ୍ପବଦ୍ଧ । ଶିକ୍ଷା ହିଁ ନୂଆ ଓଡ଼ିଶାର ଭିତ୍ତି । ବିଜୁ ଜନତା ଦଳର ସରକାର ଏହି କ୍ଷେତ୍ରରେ ଯେଉଁ ମଜବୁତ ଭିତ୍ତିଭୂମି ତିଆରି କରିଛି, ତାହା ଆଗାମୀ ପିଢ଼ିକୁ ସଶକ୍ତ କରିବ । ଏହି ସମସ୍ତ ଉପଲବ୍ଧ ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ଉନ୍ନତି ଆଣିବା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ ।