ଭୁବନେଶ୍ୱର, ୧୫/୧୦: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଛାତ୍ରଛାତ୍ରୀମାନେ ନିଜ ନେତା ବାଛୁଛନ୍ତି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ଏହାପରେ ଭୋଟ୍ ଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚିତ ପ୍ରତିନିଧିମାନେ ଆସନ୍ତାକାଲି ଶପଥ ଗ୍ରହଣ କରିବେ।
ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍ଗୁଡ଼ିକରେ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉପରେ କଲେଜ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପୁଣି ଆୟୋଜିତ ହେଉଛି ଛାତ୍ର ସଂସଦ ନିର୍ବାଚନ। ୨୦୧୭ ପରେ ରାଜ୍ୟରେ ପୁଣି କ୍ୟାମ୍ପସ୍ ନିର୍ବାଚନ ହେଉଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ଉତ୍ସାହ ରହିଛି।
ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ୩୪୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ହେଉଛି। ଏଥିରେ ୩୨୮ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ ରହିଛି। ଅନ୍ୟପଟେ ୨୦୫ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ପରିବର୍ତ୍ତେ ଚୟନ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ବଛାଯିବାର ବ୍ୟବସ୍ଥା ହୋଇଛି। ନିର୍ବାଚନ ମଇଦାନରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟରେ ୩୫୮ ଜଣ ଓ କଲେଜରେ ୬,୫୩୩ ଜଣ ଅଛନ୍ତି।
ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ। ମତଦାନ ଶେଷ ହେବା ପରେ ଅପରାହ୍ଣ ୨ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ। ଆସନ୍ତାକାଲି ସକାଳ ୧୧ଟାରେ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।
ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ କ୍ୟାମ୍ପସ୍ର ବିକାଶକୁ ନେଇ ନିଜ ନିଜ ପ୍ରତିଶ୍ରୁତି ରଖିଥିଲେ। ହଷ୍ଟେଲ୍ରେ ସୁବିଧା, ପାଠପଢ଼ା ପାଇଁ ଆବଶ୍ୟକ ସମ୍ବଳ, କ୍ୟାମ୍ପସ୍ର ଭିତ୍ତିଭୂମିର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଭଳି ପ୍ରସଙ୍ଗକୁ ନେଇ ପ୍ରଚାର କରିଥିଲେ। ଅକ୍ଟୋବର ୧୪ ତାରିଖରେ ‘Why I Stand For’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାର୍ଥୀମାନେ ନିର୍ବାଚନରେ ଠିଆ ହେବାର ଉଦ୍ଦେଶ୍ୟ ଓ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।