ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କଲେ ମିଳିବନି ପଛୁଆ ବର୍ଗ ସଂରକ୍ଷଣ

ନୂଆଦିଲ୍ଲୀ, ୧୫/୧୦: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପଛୁଆ ବର୍ଗ ସଂରକ୍ଷଣ ସୁବିଧା ମିଳିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ୍‌ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍‌ କେ.ଭି. ବିଶ୍ୱନାଥନ୍ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

ତାମିଲନାଡ଼ୁ ସରକାର ହିନ୍ଦୁ ଧର୍ମର ପଛୁଆ ବର୍ଗରୁ ଇସଲାମ ଧର୍ମାନ୍ତରିତ ହେଉଥିବା ବ୍ୟକ୍ତିଙ୍କୁ ‘ପଛୁଆ ବର୍ଗ ମୁସଲିମ୍’ (BCM) କୋଟାରେ ସଂରକ୍ଷଣ ଦେବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲେ। ମାଡ୍ରାସ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରିଥିଲେ, ଯାହା ବିରୋଧରେ ତାମିଲନାଡ଼ୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସରକାରଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ସଠିକ୍ ବୋଲି ଦର୍ଶାଇ କାଏମ ରଖିଛନ୍ତି। ହିନ୍ଦୁ ଧର୍ମରେ ଥିବାବେଳେ ଜଣେ ବ୍ୟକ୍ତି ଭୋଗୁଥିବା ସାମାଜିକ ଅନଗ୍ରସରତା କେବଳ ଅନ୍ୟ ଧର୍ମ ଗ୍ରହଣ କରିଦେଲେ ସ୍ୱୟଂଚାଳିତ ଭାବେ ସେହି ନୂତନ ଧର୍ମକୁ ସ୍ଥାନାନ୍ତରିତ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଗ୍ରହଣ କଲେ ସେ କେବଳ ଜଣେ ‘ମୁସଲମାନ’ ଭାବେ ଗଣ୍ୟ ହେବେ। ଇସଲାମ ଧର୍ମରେ ସଂରକ୍ଷଣ ସୁବିଧା ପାଇବା ପାଇଁ କୌଣସି ଜାତି କିମ୍ବା ସମ୍ପ୍ରଦାୟ ଗଠନ କରାଯାଇପାରିବ ନାହିଁ। କେବଳ ଧର୍ମାନ୍ତରଣ ଆଧାରରେ ସଂରକ୍ଷଣ ସୁବିଧା ବୃଦ୍ଧି କରିବା ଦ୍ୱାରା ଏକ ଅଣ-ସାମ୍ବିଧାନିକ ଓ କୃତ୍ରିମ ଗୋଷ୍ଠୀ ସୃଷ୍ଟି ହେବ, ଯାହା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।