ଭୁବନେଶ୍ୱର, ୧୬/୧୦: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ନବୀନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇ ମୋହନ ମାଝୀ ଲେଖିଛନ୍ତି, “ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।”
ସୂଚନାଯୋଗ୍ୟ, ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି। ଓଡ଼ିଶା ରାଜନୀତିର ଜଣେ ପ୍ରମୁଖ ଚେହେରା ଭାବେ ସେ ଦୀର୍ଘ ବର୍ଷ ଧରି ରାଜ୍ୟର ନେତୃତ୍ୱ ନେଇଛନ୍ତି। ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଲଗାତାର ୨୪ ବର୍ଷ ଧରି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୨୪ ନିର୍ବାଚନ ପରେ ବିଜେଡି କ୍ଷମତା ହରାଇବା ପରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଉଛନ୍ତି।
ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ତାଙ୍କ ଦଳର ନେତା, କର୍ମୀ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜଣାଯାଉଛି।