ସାମ୍ବାଦିକଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଆଣିଲା ପିସିଆଇ: ସୁରକ୍ଷାକୁ ପ୍ରାଥମିକତା
ଦିଲ୍ଲୀରେ ପ୍ରତିବାଦ ପ୍ରଦର୍ଶନ କଭର୍ କରିବା ସମୟରେ ସାମ୍ବାଦିକମାନଙ୍କୁ ଅଟକ ରଖାଯିବା ଏବଂ ଆହତ ହେବା ଭଳି ଅଘଟଣ ପରେ ଭାରତୀୟ ପ୍ରେସ୍ କାଉନସିଲ୍ (ପିସିଆଇ) ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏକ ସୁରକ୍ଷା ମାର୍ଗଦର୍ଶିକା ଜାରି କରିଛି।
ଏକ୍ସକ୍ଲୁସିଭ୍ ଖବର ପାଇଁ ସୁରକ୍ଷାକୁ ବାଜିରେ ଲଗାଅନି: ପ୍ରେସ୍ କାଉନସିଲ୍
ନୂଆଦିଲ୍ଲୀ, ୧୬/୧୦: ରାଜଧାନୀ ଦିଲ୍ଲୀରେ ଗତ ଅକ୍ଟୋବର ୧୦ ତାରିଖରେ ହୋଇଥିବା ପ୍ରତିବାଦ ପ୍ରଦର୍ଶନକୁ କଭର୍ କରିବା ବେଳେ କେତେକ ସାମ୍ବାଦିକ ଆହତ ହେବା ଏବଂ ପୁଲିସ ଦ୍ୱାରା ଅଟକ ରଖାଯିବା ଭଳି ଅତି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ଭାରତୀୟ ପ୍ରେସ୍ କାଉନସିଲ୍ (ପିସିଆଇ)। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା ଏବଂ କର୍ତ୍ତବ୍ୟ ସମ୍ପାଦନକୁ ଅଧିକ ସୁରକ୍ଷିତ କରିବା ପାଇଁ ପିସିଆଇ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
ଗତ ଅକ୍ଟୋବର ୧୪ ତାରିଖରେ ବସିଥିବା ପିସିଆଇର ଏକ ବୈଠକରେ ଏହି ନିର୍ଦ୍ଦେଶାବଳୀ ଗୃହୀତ ହୋଇଥିବା ବେଳେ ଏହାକୁ ବିଧିବଦ୍ଧ ଭାବେ ଜାରି କରାଯାଇଛି। କାଉନସିଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ମାର୍ଗଦର୍ଶିକାର ମୂଳ ଲକ୍ଷ୍ୟ ହେଉଛି ସାମ୍ବାଦିକମାନଙ୍କୁ ସେମାନଙ୍କର ବୃତ୍ତିଗତ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବାରେ ସହଯୋଗ କରିବା ସହିତ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା, ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ଏବଂ ପୁଲିସ ତଥା ପ୍ରଶାସନ ସହ ସୁସମନ୍ୱୟ ରକ୍ଷା କରିବା।
ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ସାମ୍ବାଦିକ ନିଜ ନିଜ ଗଣମାଧ୍ୟମ ଅନୁଷ୍ଠାନ କିମ୍ବା PIB/DIP ଦ୍ୱାରା ପ୍ରଦତ୍ତ ବୈଧ ପରିଚୟପତ୍ର ସାଙ୍ଗରେ ରଖିବେ ଏବଂ ଏହା ଯେପରି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ତାହା ନିଶ୍ଚିତ କରିବେ।
ଆନ୍ଦୋଳନ କଭର୍ କରିବା ସମୟରେ ସାମ୍ବାଦିକମାନେ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ବୃତ୍ତିଗତ ରହିବେ। କୌଣସି ପ୍ରତିବାଦରେ ସାମିଲ ହେବା, ପକ୍ଷ ନେବା, ଉତ୍ତେଜନା ସୃଷ୍ଟି କରିବା କିମ୍ବା ପ୍ରତିବାଦକାରୀ ଓ ପୁଲିସଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାଠାରୁ ଦୂରେଇ ରହିବେ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଆଇନଗତ ପୁଲିସ ନିର୍ଦ୍ଦେଶକୁ ମାନ୍ୟତା ଦେବାକୁ ପରାମର୍ଶ ଦିଆଯାଇଛି।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଲେ କିମ୍ବା ପୁଲିସର କାର୍ଯ୍ୟାନୁଷ୍ଠାନ ଆଶା କରାଗଲେ ସାମ୍ବାଦିକମାନେ ଏକ ନିରାପଦ ଦୂରତା ବଜାୟ ରଖିବେ।
କୌଣସି ପୁଲିସ ବାରିକେଡ଼, ଯାନବାହନ କିମ୍ବା ସୁରକ୍ଷା ସରଞ୍ଜାମ ଉପରେ କ୍ୟାମେରା ବା ରେକର୍ଡିଂ ଯନ୍ତ୍ରାଂଶ ଏପରି ଭାବେ ଲଗାଇବେ ନାହିଁ, ଯାହାଫଳରେ ଗତିବିଧି ବାଧାପ୍ରାପ୍ତ ହେବ କିମ୍ବା ସମ୍ପତ୍ତି ନଷ୍ଟ ହେବ।
କ୍ଷେତ୍ରସ୍ତରକୁ ଯିବା ପୂର୍ବରୁ ସାମ୍ବାଦିକମାନେ ପ୍ରାଥମିକ ଚିକିତ୍ସା ସରଞ୍ଜାମ, ପାନୀୟ ଜଳ, ସ୍ନାକ୍ସ, ଟର୍ଚ୍ଚ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ଆଦି ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣାସ୍ଥଳରେ ପଡ଼ିଥିବା କୌଣସି ଲୁହଗ୍ୟାସ କାନିଷ୍ଟର, ଫ୍ଲାସ୍-ବ୍ୟାଙ୍ଗ୍ ଡିଭାଇସ୍ କିମ୍ବା ଧୂଆଁ ବୋମାକୁ କଦାପି ଛୁଇଁବେ ନାହିଁ କିମ୍ବା ହଟାଇବାକୁ ଚେଷ୍ଟା କରିବେ ନାହିଁ। ଏହା ଅତ୍ୟନ୍ତ ଗରମ ରହିଥାଏ ଏବଂ ବିସ୍ଫୋରଣ ଘଟି ବିପଦ ଘଟାଇପାରେ।
ପୁଲିସର କୌଣସି ଗୁପ୍ତ କୌଶଳଗତ ଗତିବିଧି, ପୋଜିସନ୍ କିମ୍ବା ପଳାୟନ ରାସ୍ତା ଗୁଡ଼ିକୁ ଲାଇଭ୍ ବ୍ରାଡ୍କାଷ୍ଟ ବା ପ୍ରକାଶ କରିବେ ନାହିଁ, ଯାହାଫଳରେ ସୁରକ୍ଷା ବାଧାପ୍ରାପ୍ତ ହୋଇପାରେ।
ଏକ୍ସକ୍ଲୁସିଭ୍ ଫୁଟେଜ୍ ପାଇଁ ଅତ୍ୟଧିକ ଆଗ୍ରହୀ ହୋଇ ନିଜର ମୌଳିକ ସୁରକ୍ଷାକୁ ବାଜି ଲଗାଇବାକୁ ବାରଣ କରାଯାଇଛି। ସୂଚନାକୁ ଏକାଧିକ ସୂତ୍ରରୁ ଯାଞ୍ଚ କରିବା ପାଇଁ ପିସିଆଇ ପରାମର୍ଶ ଦେଇଛି। ଆନ୍ଦୋଳନକାରୀ ଓ ପ୍ରଶାସନ ଉଭୟ ପକ୍ଷରୁ ଆସୁଥିବା ବୟାନକୁ ସମାନ ଗୁରୁତ୍ୱ ଓ ଯାଞ୍ଚ ସହ ଉପସ୍ଥାପନ କରାଯିବା ଉଚିତ୍।
ନାବାଳକ, ଆହତ ବ୍ୟକ୍ତି ଏବଂ ସମ୍ବେଦନଶୀଳ ପରିସ୍ଥିତିରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ପ୍ରକାଶ କରିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।