ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ବିଦାୟ ସମ୍ବର୍ଦ୍ଧନା
ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୬/୧୦: ଓଡ଼ିଶାର ବିଦାୟକାଳୀନ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ବିଦାୟ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ବିକାଶ ଯାତ୍ରାରେ ତାଙ୍କର ଅବଦାନ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
ଡ. ହରିବାବୁ କମ୍ଭମପାଟି ପ୍ରାୟ ଏକ ବର୍ଷ ୯ ମାସ ଧରି ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୪ ଡିସେମ୍ବର ୨୪ରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ୨୦୨୫ ଜାନୁଆରୀ ୩ରେ ସେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଶିକ୍ଷା, ବିଜ୍ଞାନ ଓ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହା ପୂର୍ବରୁ ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ରାଜ୍ୟପାଳ ଡ. କମ୍ଭମପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟିଙ୍କ ସମେତ ଲୋକଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶାରେ ନିଜ କାର୍ଯ୍ୟକାଳକୁ ଏକ ଅଭୁଲା ସ୍ମୃତି ଭାବେ ମନେ ରଖିବେ ବୋଲି ରାଜ୍ୟପାଳ କହିବା ସହ ତାଙ୍କୁ ମିଳିଥିବା ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ବରିଷ୍ଠ ନେତା ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।