ନୂଆଦିଲ୍ଲୀ, ୧୬/୧୦: ଚଳିତ ମାସ ଶେଷ ଆଡ଼କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇପାରେ। ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ସମ୍ପର୍କିତ ବିଲ୍ଗୁଡ଼ିକୁ ପୁଣିଥରେ ଆଗତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ସରକାର ଚଳିତ ମାସର ଶେଷ ଭାଗରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ବିଚାର କରୁଛନ୍ତି। ତେବେ ଅଧିବେଶନର ତାରିଖ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଚଳିତ ବର୍ଷ ଏପ୍ରିଲରେ ସଂସଦର ବିଶେଷ ବୈଠକ ସମୟରେ ମହିଳା ସଂରକ୍ଷଣ ଲାଗୁ କରିବା ସହ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆବଶ୍ୟକ ସମର୍ଥନ ପାଇପାରିନଥିଲା। ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ମିଳିନଥିବାରୁ ବିଲ୍ଟି ଗୃହରେ ଗୃହୀତ ହୋଇପାରିନଥିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆବଶ୍ୟକ ସମର୍ଥନ ଯୋଗାଡ଼ କରିବା ପାଇଁ କେନ୍ଦ୍ର ସରକାର ଡିଏମ୍କେ ଏବଂ କିଛି ଛୋଟ ରାଜନୈତିକ ଦଳ ସହ ଆଲୋଚନା କରୁଛନ୍ତି। ଡିଏମ୍କେର ଲୋକସଭାରେ ୨୨ ଜଣ ସାଂସଦ ଅଛନ୍ତି।
୨୦୨୩ରେ ସଂସଦରେ ଗୃହୀତ ହୋଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଏହାର କାର୍ଯ୍ୟକାରିତାକୁ ନେଇ ଚଳିତ ବର୍ଷ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ ଓ ସୀମା ନିର୍ଦ୍ଧାରଣ ସମ୍ପର୍କିତ ବିଲ୍ ଆଣିଥିଲେ। କିନ୍ତୁ ଏପ୍ରିଲରେ ଆବଶ୍ୟକ ସମର୍ଥନ ନମିଳିବାରୁ ଏହା ଗୃହୀତ ହୋଇପାରିନଥିଲା।
ସୂଚନାଯୋଗ୍ୟ, ସୀମା ନିର୍ଦ୍ଧାରଣ ଅର୍ଥ ହେଉଛି ଜନସଂଖ୍ୟା ଓ ଆଇନଗତ ବ୍ୟବସ୍ଥାକୁ ଆଧାର କରି ନିର୍ବାଚନମଣ୍ଡଳୀର ସୀମା ଏବଂ ଆସନ ସଂଖ୍ୟା ପୁନଃନିର୍ଦ୍ଧାରଣ କରିବା। ଏହାକୁ ମହିଳା ସଂରକ୍ଷଣ ସହ ଯୋଡ଼ାଯିବାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ବିଶେଷକରି ଦକ୍ଷିଣ ଭାରତର କିଛି ରାଜ୍ୟ ଆସନ ବଣ୍ଟନରେ ଆଞ୍ଚଳିକ ଅସମାନତା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଅନ୍ୟପଟେ, କେନ୍ଦ୍ର ସରକାର ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଏହି ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି।
ସୂଚନା ଅନୁସାରେ, ସ୍ୱତନ୍ତ୍ର ଅଧିବେଶନ ପାଇଁ ପ୍ରାୟ ଏକ ସପ୍ତାହ ପୂର୍ବରୁ ସୂଚନା ଦିଆଯାଇପାରେ। ଅକ୍ଟୋବର ୨୬ ଓ ୨୭ ତାରିଖରେ ସମ୍ବିଧାନ ସଦନରେ ହେବାକୁ ଥିବା ଦ୍ୱାଦଶ ବ୍ରିକ୍ସ ସଂସଦୀୟ ଫୋରମ୍କୁ ଦୃଷ୍ଟିରେ ରଖି ଅଧିବେଶନର ତାରିଖ ସ୍ଥିର ହୋଇପାରେ।