ମୁମ୍ବାଇ, ୨୧/୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାରେ ତଦନ୍ତ ଆଗକୁ ବଢ଼ିବା ସହ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ମୁମ୍ବାଇ କ୍ରାଇମବ୍ରାଞ୍ଚର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଆକ୍ରମଣକାରୀଙ୍କ ପ୍ରଥମ ଟାର୍ଗେଟ୍ ଟାଇଗର ଶ୍ରଫ୍ ନୁହେଁ, ବରଂ ଅଭିନେତା ସଲମାନ୍ ଖାନ୍ ଥିଲେ। ଅଭିଯୁକ୍ତମାନେ ପ୍ରଥମେ ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ୍ ଖାନ୍ଙ୍କ ବାସଭବନ ନିକଟରେ ରେକି କରିଥିଲେ। କିନ୍ତୁ ସଲମାନ୍ଙ୍କ ବାସଭବନ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ଆକ୍ରମଣକାରୀମାନେ ଯୋଜନା ବଦଳାଇଥିଲେ। ଏହାପରେ ଟାଇଗରଙ୍କୁ ସହଜ ଟାର୍ଗେଟ ଭାବି ତାଙ୍କ ଉପରକୁ ଆକ୍ରମଣ କରିଥିଲେ ସୁଟର। ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଟାଇଗର ନିୟମିତ ଭାବେ ମୁମ୍ବାଇର ଜୁହୁ ଅଞ୍ଚଳର ଏକ ଫୁଟବଲ୍ ଗ୍ରାଉଣ୍ଡକୁ ଯାଉଥିବା ନେଇ ସୋସିଆଲ୍ ମିଡିଆରେ ଥିବା ପୋଷ୍ଟ ଓ ଭିଡିଓରୁ ଅଭିଯୁକ୍ତମାନେ ସୂଚନା ପାଇଥିବା ପୋଲିସ ସନ୍ଦେହ କରୁଛି।
ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍ଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିଲା। ଟାଇଗର ଏହି ଘଟଣାରେ ସୁରକ୍ଷିତ ଥିବାବେଳେ ତାଙ୍କ ଡ୍ରାଇଭର ଓ ନିକଟରେ ଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ।
ଘଟଣା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ରାଜସ୍ଥାନର କୋଟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ଅନ୍ୟପଟେ ଅସ୍ତ୍ର ଯୋଗାଣ ଓ ଅଭିଯୁକ୍ତଙ୍କୁ ସହାୟତା କରିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଉ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଅଛନ୍ତି। ସେମାନେ ହେଲେ କୁନାଲ (୨୧), ସୁମିତ (୧୯), ରାଧା (୨୩) ଓ ବବିତା (୨୩)। କୁନାଲ ଓ ସୁମିତ ହରିୟାଣାର ସୋନିପତ ଅଞ୍ଚଳର ହୋଇଥିବାବେଳେ ରାଧା ଓ ବବିତା ଉତ୍ତରପ୍ରଦେଶର ବାସିନ୍ଦା।
ପୋଲିସର ଅଭିଯୋଗ ଅନୁସାରେ, ଏହି ଚାରି ଜଣ ଆକ୍ରମଣ ପାଇଁ ଅସ୍ତ୍ର ଯୋଗାଣ ଓ ଅଭିଯୁକ୍ତମାନଙ୍କୁ ସହାୟତା କରିବାରେ ସମ୍ପୃକ୍ତ ଥିଲେ। କୁନାଲ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କ ସହ ଏକ ଏନ୍କ୍ରିପ୍ଟେଡ୍ ମେସେଜିଂ ଆପ୍ ଜରିଆରେ ଯୋଗାଯୋଗରେ ଥିଲେ। ଅନିଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତମାନେ କାମ କରୁଥିଲେ। ଅସ୍ତ୍ର ଯୋଗାଣଠାରୁ ଆରମ୍ଭ କରି ଆକ୍ରମଣ ପରେ ଅଭିଯୁକ୍ତଙ୍କୁ ସହାୟତା କରିବା ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କ ସମ୍ପୃକ୍ତି ଥିଲେ।
ସେପଟେ ଏହି ଘଟଣାରେ ବ୍ୟବହୃତ ବନ୍ଧୁକ କିପରି ଆକ୍ରମଣକାରୀଙ୍କ ପାଖରେ ପହଞ୍ଚିଥିଲା, ତାହା ପଛରେ ଏକ ସିଣ୍ଡିକେଟ୍ ରହିଛି। ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ‘ଡେଡ୍ ଲେଟର ବକ୍ସ’ ଜରିଆରେ ବନ୍ଧୁକ ଯୋଗାଣ ହୋଇଥିଲା। ପଞ୍ଜାବର ଅମୃତସରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁକ ରଖାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି। ‘ଡେଡ୍ ଲେଟର ବକ୍ସ’ ଜରିଆରେ ଆଗରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ତ୍ର ରଖାଯାଇଥାଏ। ପରେ ଅନ୍ୟ ବ୍ୟକ୍ତି ଆସି ଏହାକୁ ସଂଗ୍ରହ କରିଥାନ୍ତି।