ପ୍ୟାରିସ, ୨୧/୧୦: ଫ୍ରାନ୍ସର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ମିରାଜ୍-୨୦୦୦ଡି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫ୍ରାନ୍ସ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ଏକ ପ୍ରଶିକ୍ଷଣ ଅଭିଯାନ ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏଥିରେ ଥିବା ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିବା ଅନ୍ୟ ଜଣେ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି।
ସୂଚନା ଅନୁସାରେ, ଫ୍ରାନ୍ସର ନାନ୍ସି ସହର ନିକଟରେ ଥିବା ଏକ ବାୟୁସେନା ଘାଟି ପାଖରେ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଏକ ନିୟମିତ ଟ୍ରେନିଂ ବେଳେ ତଳକୁ ଖସିପଡ଼ିଥିଲା। କିନ୍ତୁ ଦୁର୍ଘଟଣା କିପରି ଘଟିଲା, ସେ ନେଇ କିଛି ଜଣାପଡ଼ିନାହିଁ।
ଏହି ଦୁଇ ଆସନ ବିଶିଷ୍ଟ ମିରାଜ୍-୨୦୦୦ଡି ଯୁଦ୍ଧ ବିମାନରେ ଦୁଇ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଯୁଦ୍ଧ ବିମାନ ଚାଳକ ଏବଂ ଅନ୍ୟ ଜଣେ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଅଧିକାରୀ ଥିଲେ।
ଫ୍ରାନ୍ସର ମିରାଜ୍-୨୦୦୦ଡି ବିମାନ ଦୀର୍ଘ ବର୍ଷ ଧରି ସାମରିକ ଅଭିଯାନରେ ବ୍ୟବହୃତ ହୋଇଆସୁଛି। ୧୯୯୩ ମସିହାରେ ଏହି ବିମାନ ସେବାରେ ସାମିଲ ହୋଇଥିଲା। ଏହା ମୁଖ୍ୟତଃ ସ୍ଥଳଭାଗରେ ଥିବା ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପାଇଁ ନିର୍ମିତ। ଏଥିରେ ଉନ୍ନତ ସାମରିକ ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥା ରହିଛି, ଯାହା ସହଯୋଗୀ ଦେଶର ସାମରିକ ବାହିନୀ ସହ ସମନ୍ୱୟ ରକ୍ଷା କରିବାରେ ସହାୟକ ହୁଏ।
ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରଣାଳୟ ଅନୁସାରେ, ମିରାଜ୍-୨୦୦୦ଡି ବିମାନ ପୂର୍ବତନ ଯୁଗୋସ୍ଲାଭିଆ, କୋସୋଭୋ, ଆଫଗାନିସ୍ତାନ, ଲିବ୍ୟା, ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ, ଇରାକ, ସିରିଆ ଏବଂ ସାହେଲ୍-ସାହାରା ଅଞ୍ଚଳରେ ଫ୍ରାନ୍ସର ବିଭିନ୍ନ ସାମରିକ ଅଭିଯାନରେ ଅଂଶଗ୍ରହଣ କରିଛି।
ଏହି ବିମାନ ପୂର୍ବରୁ ୨୦୧୯ ଜାନୁଆରୀରେ ଫ୍ରାନ୍ସର ପୂର୍ବ ଅଞ୍ଚଳରେ ରାତିରେ କମ୍ ଉଚ୍ଚତାରେ ଉଡ଼ାଣ ପ୍ରଶିକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ଘଟଣାରେ ବିମାନରେ ଥିବା ଉଭୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ୨୦୨୧ ଜୁଲାଇରେ ନାନ୍ସି ନିକଟରେ ଅନ୍ୟ ଏକ ମିରାଜ୍-୨୦୦୦ଡି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ସେହି ଘଟଣାରେ ବିମାନର ଉଭୟ କ୍ରୁ ସଦସ୍ୟ ସମୟ ପୂର୍ବରୁ ଇଜେକ୍ସନ୍ ବ୍ୟବସ୍ଥା ବ୍ୟବହାର କରି ବାହାରି ଆସିବାରୁ ସେମାନଙ୍କ ବଞ୍ଚିବା ସମ୍ଭବ ହୋଇପାରିଥିଲା।