‘ଭକ୍ତି, ସଂସ୍କୃତି ଓ ସାମାଜିକ ଏକତାର ମହାପର୍ବ ଦୁର୍ଗାପୂଜା’

ଉତ୍ତର ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର

ଶାନ୍ତିପୂର୍ଣ୍ଣ ପୂଜା ଆୟୋଜନ ପାଇଁ ପୂଜା କମିଟି, ପ୍ରଶାସନ ଓ ପୋଲିସ ବିଭାଗକୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୨/୧୦: ଆସ୍ଥା, ଶକ୍ତି ଉପାସନା ଓ ଅଧର୍ମ ଉପରେ ଧର୍ମର ବିଜୟର ମହାନ ବାର୍ତ୍ତା ବହନ କରୁଥିବା ପବିତ୍ର ଶାରଦୀୟ ଦୁର୍ଗାପୂଜା ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ଭକ୍ତି, ଉତ୍ସାହ, ଶାନ୍ତି ଓ ସଦ୍‌ଭାବର ପରିବେଶ ମଧ୍ୟରେ ପାଳିତ ହୋଇଛି। ଏହି ଅବସରରେ ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର ଉତ୍ତର ଭୁବନେଶ୍ୱରର ପ୍ରାୟ ୬୩ଟି ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଭାବବିନିମୟ କରି ସେମାନଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଥିଲେ।

ପଟିଆର କେଦାରନାଥ କଳାକୃତି, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ଚକେଇସିଆଣି, ପଳାଶୁଣୀର ହାୱା ମହଲ ଶୈଳୀର ତୋରଣ, ଗାଡ଼କଣ, ଦମଣାରେ ଚାରିଧାମର ଆକର୍ଷଣୀୟ କଳାକୃତି, ରଘୁନାଥପୁର, କଳାରାହାଙ୍ଗ, ଇଞ୍ଜଣା, ଗଣ୍ଡରପୁର, ବରିମୁଣ୍ଡା, ନହରକଣ୍ଟା, ନଖରା, ନୟାପଲ୍ଲୀ, ଜୟଦେବ ବିହାର, ଭିଏସ୍‌ଏସ୍‌ ନଗର, ରସୁଲଗଡ଼ର ରାଜମହଲ ଶୈଳୀର ତୋରଣ, ଭରତପୁର, ସାଲିଆସାହି ଓ ଟାଙ୍ଗୀବନ୍ତାରେ ୭୨ ଫୁଟ ଉଚ୍ଚତାର ମା’ଙ୍କ ପ୍ରତିମା ସମେତ ବିଭିନ୍ନ ସ୍ଥାନର ଅନନ୍ୟ କଳାକୃତି ଓ ସାଜସଜ୍ଜା ଦୁର୍ଗାପୂଜାର ଆକର୍ଷଣକୁ ବହୁଗୁଣିତ କରିଥିଲା। ମନୋରମ ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା, ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାଳୁଙ୍କ ଅପାର ଉତ୍ସାହ ସମଗ୍ର ଅଞ୍ଚଳକୁ ଭକ୍ତିମୟ କରିଥିଲା।

ଦୁର୍ଗାପୂଜା ଆମ ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ

ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ଏହା ଆମର ସମୃଦ୍ଧ ସଂସ୍କୃତି, ଗୌରବମୟ ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ ପ୍ରତୀକ। ମା’ ଦୁର୍ଗାଙ୍କ ଆରାଧନା ଆମକୁ ଅନ୍ୟାୟ ଓ ଅଧର୍ମ ବିରୋଧରେ ଦୃଢ଼ ଭାବେ ଠିଆ ହେବା ସହ ସତ୍ୟ, ନ୍ୟାୟ ଓ ଧର୍ମର ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥାଏ। ଏହି ମହାପର୍ବ ଜାତି, ବର୍ଣ୍ଣ ଓ ଭେଦଭାବର ଊର୍ଦ୍ଧ୍ୱରେ ରହି ଭାଇଚାରା, ପାରସ୍ପରିକ ସହଯୋଗ ଓ ସଦ୍‌ଭାବକୁ ସୁଦୃଢ଼ କରିବାର ଅବସର ସୃଷ୍ଟି କରିଥାଏ।

ପୂଜା କମିଟି ଓ ଜନସାଧାରଣଙ୍କ ଅବଦାନ ପ୍ରଶଂସନୀୟ

ଉତ୍ତର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏତେ ବ୍ୟାପକ ଆୟୋଜନକୁ ସଫଳ କରିବାରେ ପୂଜା କମିଟିର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଜନସାଧାରଣଙ୍କ ନିଷ୍ଠା, ପରିଶ୍ରମ ଓ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ। ସମସ୍ତଙ୍କ ସାମୂହିକ ଉଦ୍ୟମ, ଦାୟିତ୍ୱବୋଧ ଓ ଶୃଙ୍ଖଳିତ ଆଚରଣ ଯୋଗୁଁ ପୂଜା ଉତ୍ସବ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇପାରିଛି। ଏଥିପାଇଁ ଶ୍ରୀ ମହାପାତ୍ର ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

ଶାନ୍ତି ଓ ଶୃଙ୍ଖଳା ରକ୍ଷାରେ ପ୍ରଶାସନ ଓ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦୁର୍ଗାପୂଜା ପରି ବିଶାଳ ଜନସମାଗମପୂର୍ଣ୍ଣ ଉତ୍ସବରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏହି ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତତ୍ପରତା ଓ ପରିଶ୍ରମକୁ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ପୂର୍ବରୁ ଦେବାକୁ ପଡ଼ୁଥିବା ନିର୍ଦ୍ଦିଷ୍ଟ ଦେୟରୁ ଛାଡ଼ ଦିଆଯାଇଥିବା ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି। ପୂଜା ଆୟୋଜନକୁ ସୁଗମ କରିବା ଓ ପୂଜା କମିଟିଗୁଡ଼ିକୁ ସହଯୋଗ କରିବା ଦିଗରେ ଏହା ଏକ ସହାୟକ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଓଡ଼ିଶା ସରକାର, ପ୍ରଶାସନ ଓ ପୋଲିସ ବିଭାଗକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ପୂଜା କମିଟି, ପ୍ରଶାସନ, ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ ଓ ପାରସ୍ପରିକ ବିଶ୍ୱାସ ହିଁ ଏକ ବଡ଼ ଜନଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ସମ୍ପନ୍ନ କରିବାର ମୁଖ୍ୟ ଆଧାର ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି।

ଶେଷରେ ଶ୍ରୀ ମହାପାତ୍ର ମା’ ଦୁର୍ଗାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସୁସ୍ଥତା ଓ ସମୃଦ୍ଧି କାମନା କରିବା ସହ ଓଡ଼ିଶାରେ ଏକତା, ସଦ୍‌ଭାବ ଓ ବିକାଶର ଧାରା ନିରନ୍ତର ଅବ୍ୟାହତ ରହୁ ବୋଲି ପ୍ରାର୍ଥନା କରିଛନ୍ତି।