ମା’ ଦୁର୍ଗାଙ୍କ ଆରାଧନା ସହିତ ଶକ୍ତି ଓ ଏକତାର ଉତ୍ସବକୁ ପାଳନ କରିଛି ଭିଏଏମ୍ଏଲ୍
କର୍ମଚାରୀ, ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟଙ୍କ ମିଳିତ ଉଦ୍ୟମରେ ଆସ୍ଥା, ସଂସ୍କୃତି ଓ ସହଭାଗିତାର ଉତ୍ସବ
ଭୁବନେଶ୍ୱର, ୨୨/୧୦: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଏଏଲ୍ସିଓ, ଝାରସୁଗୁଡ଼ା, ଲାଞ୍ଜିଗଡ଼ ଓ ଖଣି କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ନବରାତ୍ରି ଓ ଦୁର୍ଗାପୂଜା ପାଳନ କରାଯାଇଛି । ପରମ୍ପରା ଓ ସାମାଜିକ ଏକତାକୁ ଯୋଡ଼ିବାରେ ପର୍ବପର୍ବାଣିର ଗୁରୁତ୍ୱକୁ ଆଧାର କରି ଆୟୋଜିତ ଏହି ଉତ୍ସବରେ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟ ଏକାଠି ହୋଇଥିଲେ । ଧାର୍ମିକ ରୀତିନୀତି, ସାଂସ୍କୃତିକ ପରିବେଷଣ ଓ ଉତ୍ସବମୁଖର ସମାବେଶ ମାଧ୍ୟମରେ ଭାରତୀୟ ପରମ୍ପରାର ସମୃଦ୍ଧିକୁ ପ୍ରତିଫଳିତ କରିବା ସହ ପାରସ୍ପରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଥିଲା ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ନବରାତ୍ରି ଓ ଦଶହରା ଅବସରରେ ଭିଏଏମ୍ଏଲ୍ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଆନନ୍ଦଦାୟକ ଥିଲା । ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ଆରାଧନାଠାରୁ ଆରମ୍ଭ କରି ଧର୍ମ, ନ୍ୟାୟ ଓ ଅଧ୍ୟବସାୟର ବିଜୟର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ବିଜୟ ଉତ୍ସବ ପର୍ଯ୍ୟନ୍ତ, ଏହି ପର୍ବଗୁଡ଼ିକ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରିଛି । ଏହି ଉତ୍ସବଗୁଡ଼ିକର ବିଶେଷତ୍ୱ ହେଉଛି, ଏହା କର୍ମଚାରୀ, ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟକୁ ଏକାଠି କରି ଆମର ସମସ୍ତ କାର୍ଯ୍ୟକ୍ଷେତ୍ରରେ ଆନନ୍ଦ, ଆତ୍ମୀୟତା ଓ ସହଭାଗିତାର ମୁହୂର୍ତ ସୃଷ୍ଟି କରିଛି ।”
ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପାରମ୍ପରିକ ରୀତିନୀତି ସହ ସାମୂହିକ ସହଭାଗିତାର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା । ବିଏଏଲ୍ସିଓରେ ନବରାତ୍ରି ଅବସରରେ ବାଲକୋନଗର ଉତ୍ସବମୁଖର ହୋଇଉଠିଥିଲା । କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାମାନେ ଗର୍ବା ନୃତ୍ୟ, ସର୍ବସାଧାରଣ ଦୁର୍ଗାପୂଜା ମଣ୍ଡପ ଏବଂ ପର୍ବର ଭାବଧାରାକୁ ପ୍ରଦର୍ଶିତ କରୁଥିବା ଫଟୋ ପ୍ରଦର୍ଶନୀରେ ସାମିଲ ହୋଇଥିଲେ । ଏହି ଆୟୋଜନ ସମଗ୍ର ଟାଉନ୍ସିପ୍ ଓ ନିକଟବର୍ତୀ ଅଂଚଳର ଲୋକଙ୍କ ମଧ୍ୟରେ ଉତ୍ସବର ଆନନ୍ଦ ଓ ସାଂସ୍କୃତିକ ଗର୍ବର ଭାବନାକୁ ଆହୁରି ବଢ଼ାଇଥିଲା ।
ଝାରସୁଗୁଡ଼ାରେ ମଧ୍ୟ ଧାର୍ମିକ ଆସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସମାହାରରେ ଦୁର୍ଗାପୂଜା ପାଳିତ ହୋଇଥିଲା । ମହାସପ୍ତମୀ, ମହାଷ୍ଟମୀ, ପୁଷ୍ପାଞ୍ଜଳି ଓ ସନ୍ଧ୍ୟା ଆଳତି ଭଳି ପାରମ୍ପରିକ ଧାର୍ମିକ କାର୍ଯ୍ୟକ୍ରମ ଉତ୍ସବର ଆଧ୍ୟାତ୍ମିକ ମହତ୍ୱକୁ ପ୍ରତିପାଦିତ କରିଥିଲା । ଅନ୍ୟପକ୍ଷରେ ଡାଣ୍ଡିଆ, ସଙ୍ଗୀତ ପରିବେଷଣ, ନୃତ୍ୟ କାର୍ଯ୍ୟକ୍ରମ ଓ ମା’ଙ୍କ ଜାଗରଣ ଉତ୍ସବରେ ଉତ୍ସାହ ଓ ଉଲ୍ଲାସ ଭରିଦେଇଥିଲା । ବିଜୟାଦଶମୀ ଅବସରରେ ରାମଲୀଳା ଓ ରାବଣପୋଡ଼ି କାର୍ଯ୍ୟକ୍ରମ ସହ ଉତ୍ସବର ସମାପନ ହୋଇଥିଲା । ଏହା ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତା ପ୍ରଦାନ କରିଥିଲା ।
ଲାଞ୍ଜିଗଡ଼ରେ ଏହି ଉତ୍ସବ ଆସ୍ଥା, କାରିଗରୀ ଓ ପରିବେଶ ସଂରକ୍ଷଣ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରିଥିଲା । ପୂଜା ପାଇଁ ସ୍ଥାପିତ ମା’ ଦୁର୍ଗାଙ୍କ ମୂର୍ତିକୁ ବାରାଣସୀର ତୃତୀୟ ପିଢ଼ିର ଜଣେ କାରିଗର ପବିତ୍ର ଗଙ୍ଗା ମାଟିରେ ହାତରେ ତିଆରି କରିଥିଲେ । ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀରେ ନିର୍ମିତ ଏହି ପରିବେଶ ଅନୁକୂଳ ମୂର୍ତି ପର୍ବର ଆଧ୍ୟାତ୍ମିକ ମହତ୍ୱ ସହ ପରିବେଶ ପ୍ରତି ଦାୟିତ୍ୱବୋଧକୁ ମଧ୍ୟ ପ୍ରତିଫଳିତ କରିଥିଲା ।
ବେଦାନ୍ତର ଖଣି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦୁର୍ଗାପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ରାୟଗଡ଼ର ଏସ୍କେଏସ୍ ଟାୱାର୍ସଠାରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଏକାଠି ହୋଇ ପାରମ୍ପରିକ ପୂଜାବିଧି, ଡାଣ୍ଡିଆ ରାତ୍ରି ଓ ପାରିବାରିକ ଭୋଜନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କର୍ମକ୍ଷେତ୍ର ବାହାରେ ସହକର୍ମୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏକାଠି ହେବାର ସୁଯୋଗ ଦେଇଥିବା ଏହି ଆୟୋଜନ ପାରସ୍ପରିକ ସୌହାର୍ଦ୍ଦ୍ୟ, ସହଯୋଗ ଓ ଆତ୍ମୀୟତାକୁ ଆହୁରି ମଜବୁତ କରିଥିଲା ।
ବେଦାନ୍ତ ଆଲୁମିନିୟମର ସମସ୍ତ କାର୍ଯ୍ୟକ୍ଷେତ୍ରରେ ନବରାତ୍ରି ଓ ଦୁର୍ଗାପୂଜା ଆସ୍ଥା, ସାମୂହିକ ଅଂଶଗ୍ରହଣ ଓ ମିଳିତ ଅନୁଭୂତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ସହ ସାଂସ୍କୃତିକ ପରମ୍ପରା ଓ ସାମାଜିକ ଏକତାକୁ ସୁଦୃଢ଼ କରିଛି ।