ମୋଦି ଦେଶକୁ ଯୋଡିବାକୁ ଚାହୁଁଛନ୍ତି, ନବୀନ ପନାୟକ ଦେଶକୁ ଭାଙ୍ଗିବା କାର୍ଯ୍ୟରେ ଲାଗିଛନ୍ତି : ଡ. ଯତୀନ ମହାନ୍ତି
୨୫ ତାରିଖ ଅପରାହ୍ନ ୪ଟାରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଖୋର୍ଦ୍ଧା ଗସ୍ତ କରି ଆରବିଆଇ ଡାଟା ସେଂଟରର ଉଦଘାଟନ କରିବେ
ମୋଦିଙ୍କ ଯୁବବର୍ଗ ଓ ଓଡିଶା ପ୍ରତି ଥିବା ଭଲ ପାଇବାକୁ ସ୍ପଷ୍ଟ ଦର୍ଶାଉଛି
ଭୁବନେଶ୍ୱର, ୨୨/୧୦: ଗତ କାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପନାୟକ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ସ୍ପଷ୍ଟ କହିଛନ୍ତି ଯେ, ସିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଦୁଇଜଣ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି । ଏପରିକି ନ୍ୟାୟିକ ପ୍ରକ୍ରିୟାକୁ ଆକ୍ଷେପ କରିବା ସହିତ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିବା କୌଣସି ଅପରାଧ ନୁହେଁ ବୋଲି ବିଚରାଳୟକୁ ପରାମର୍ଶ ଦେବା ସହ ଉଭୟଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଉପଦେଶ ଦେଇଛନ୍ତି । ଏହାଦ୍ୱାରା ଦେଶର ଯୁବଶକ୍ତିର ବିଶ୍ୱାସ ବିଚରାଳୟ ବ୍ୟବସ୍ଥା ଉପରେ ରହିବ ବୋଲି ଶ୍ରୀ ପନାୟକ କହିଛନ୍ତି । ଗତ ୨୪ ବର୍ଷ ଧରି ‘ଆଇନ ତା ବାଟରେ ଯିବ’ ବୋଲି କହୁଥିବା ନବୀନ ବାବୁଙ୍କ ପ୍ରକୃତରେ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ନଥିଲା । ଯଦି ପୂର୍ବରୁ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାରେ ବିଶ୍ୱାସ ଥିଲା ବୋଲି ତାଙ୍କର ହୃଦୟଙ୍ଗମ ହେଉଥିଲା, ତେବେ ଆଜି ଏ ହୃଦୟ ପରିବର୍ତନ କାହିଁକି? ଆଜି କଣ ସେହି ଅରାଜକତା ଶକ୍ତିମାନଙ୍କୁ ସମର୍ଥନ କରିବାକୁ ଯାଇ ନବୀନ ବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତା ଭୁଲିଗଲେ କି ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଛନ୍ତି ଯେ, ତମ ଉଦ୍ଦେଶ୍ୟ କଣ, କଣ କରିବାକୁ ଚାହୁଁଛ ବୋଲି ଅରାଜକତା ଶକ୍ତିମାନଙ୍କୁ ଗତ କାଲି ମାନ୍ୟବର ଦିଲ୍ଲୀ କୋର୍ଟ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଫ୍ରାନ୍ସଠାରୁ ଆରମ୍ଭ କରି ଇଟାଲୀ, ସ୍ପେନ୍ ପର୍ଯ୍ୟନ୍ତ ବ୍ୟାପିଥିବା ଅନ୍ଦୋଳନରେ ବ୍ୟାପକ ହିଂସା ଏବଂ ଅରାଜକତା ଦେଖିବାକୁ ମିଳୁଛି । ଗଣତନ୍ତ୍ର ଓ ପ୍ରଶାସନିକ ବ୍ୟବସ୍ଥାକୁ ଜୋରଜବରଦସ୍ତ ପରିବର୍ତ୍ତନ କରି ନିଜର ଅରାଜକତାକୁ ଏଠାରେ ଚଳାଇବାକୁ ପ୍ରଚେଷ୍ଠା କରାଯାଉଛି । ତାଙ୍କ ନେତାମାନେ କହୁଛନ୍ତି ବାଂଲାଦେଶର ଘଟଣା ତାଙ୍କ ପାଇଁ ଆଦର୍ଶ ବା ପ୍ରେରଣା ଅଟେ । ଗତକାଲି ଯେଉଁମାନେ ନିଜକୁ ନିଜେ ଆତ୍ମଘୋଷିତ ଯୁବ ସମାଜର ପ୍ରେରଣା ବୋଲି କହିଛନ୍ତି, ସେମାନଙ୍କୁ ନବୀନ ବାବୁ ସମର୍ଥନ କରିଛନ୍ତି । ଏହା ତାଙ୍କର ଦେବାଳିଆ ମାନସିକତା ସ୍ପଷ୍ଟ କରୁଛି । ନବୀନ ବାବୁ ନିଜ ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଯେ, ଏହା ତାଙ୍କର ବାର୍ଦ୍ଧକ୍ୟ ଜନିତ ସମସ୍ୟା ସହ ତାଙ୍କ ପାର୍ଟିର ଆଭିମୁଖ୍ୟ ମଧ୍ୟ ସମାନ ଅଟେ । ଭାରତକୁ ଭାଗ ଭାଗ କରି ଅରାଜକତାକୁ ଶକ୍ତିକୁ ସମର୍ଥନ କରି ବିଜେଡି ଆଜି ଛିଡା ହୋଇଛି କି, ତାହାର ଜବାବ ବିଜେଡିକୁ ସାଧାରଣ ଜନତାଙ୍କ ସମ୍ମୁଖରେ ଦେବାକୁ ପଡିବ ବୋଲି ଡ.ମହାନ୍ତି କହିଛନ୍ତି ।
ଯେତେବେଳେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତକୁ ଯୋଡିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ବିଜେଡି ଭାରତର ବିଭାଜନକାରୀ ନେତାମାନଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ । ଯୁବ ସମାଜକୁ ଆଗକୁ ନେବା ପାଇଁ ମୋଦିଜୀ ଯେତେବେଳେ ଅହରହ ପରିଶ୍ରମ କରୁଛନ୍ତି, ସେତେବେଳେ କାହିଁକି ବିଜେଡି ତାର କୁତ୍ସୀତ ଚିନ୍ତାଧାରାକୁ ସଫଳ କରିବା ପାଇଁ ଚେଷ୍ଟା କରୁଛି ବୋଲି ଡ.ମହାନ୍ତି ପ୍ରଶ୍ନ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପନାୟକ ଦେଶ ବିଭାଜନକାରିଙ୍କ ସପକ୍ଷରେ କହୁଥିବାବେଳେ ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯୋଡିବାକୁ ଏବଂ ଦେଶର ଯୁବ ବର୍ଗଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ବିଶେଷ ଭାବେ ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ । ଆସନ୍ତା ୨୫ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ୧୭୦ କୋଟି ବ୍ୟୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ଏବଂ ସାଇବର ସିକ୍ୟୁରିଟିକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ଆରବିଆଇର ଦ୍ୱିତୀୟ ଡାଟା ସେଣ୍ଟର ସ୍ଥାପନା କରାଯାଇଛି । ଡାଟା ସେଂଟର ପୃଥିବୀର ସର୍ବବୃହତ ଶ୍ରେଷ୍ଠ ଆବଶ୍ୟକତା । ଏହି ଡାଟା ସେଂଟର ପାଇଁ ସେ ଓଡିଶାକୁ ବାଛିଛନ୍ତି, ଯାହା ଆମ ପାଇଁ ଗର୍ବ ଓ ଗୌରବ ଅଟେ । ଆରବିଆଇ ଭଳି ପ୍ରତିଷ୍ଠିତ ସଂସ୍ଥାର ଡାଟା ସେଂଟର ପ୍ରତିଷ୍ଠା ଦ୍ୱାରା ଓଡ଼ିଶାର ଡିଜିଟାଲ ଶିଳ୍ପ ବିକାଶ ତ୍ୱରିତ ହେବା ସହିତ ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ । ଆଇଟି କ୍ଷେତ୍ରରେ ଓଡିଶା ରାଜ୍ୟକୁ ପ୍ରଥମେ ସେମିକକ୍ଟର ହବ୍ ଭାବେ ପରିଚୟ ପ୍ରଦାନ କରିବାର ପ୍ରୟାସ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ବର୍ତ୍ତମାନ ଡାଟା ସେଣ୍ଟର ଭାବେ ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି । ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ଆଗାମୀ ଦିନରେ ଓଡିଶାର ବିକାଶ ପାଇଁ ଥିବା ସ୍ୱପ୍ନକୁ ସାକାର କରିବାର ଗୋଟିଏ ପଦକ୍ଷେପ । ଯାହାକି ମୋଦିଜୀଙ୍କ ଯୁବବର୍ଗ ଓ ଓଡିଶା ପ୍ରତି ଥିବା ଭଲ ପାଇବାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ଡ.ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସଂପର୍କରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ୨୫ ତାରିଖ ଅପରାହ୍ନ ୪ଟାରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଖୋର୍ଦ୍ଧା ଗସ୍ତ କରି ଆରବିଆଇ ଡାଟା ସେଂଟରର ଉଦଘାଟନ କରିବେ । ଏହା ପରେ ପୁଣି ଥରେ ଭୁବନେଶ୍ୱର ଫେରି ଆସି ସଂଧ୍ୟା ୭ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୯ମ ଓଡିଶା ଆଗମନ । ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉାହିତ ଅଛନ୍ତି ଏବଂ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।