ନାଲ୍‌କୋ ପକ୍ଷରୁ ଭୁବନେଶ୍ୱରରେ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ

ବୈଠକ ଉଦଘାଟନ କଲେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ

ଭୁବନେଶ୍ୱର, ୨୨/୧୦: ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକତାଭିତ୍ତିକ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନବରତ୍ନ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଆଜି ଭୁବନେଶ୍ୱରରେ ମୁଖ୍ୟ ସତର୍କତା ଅଧିକାରୀ (ସିଭିଓ)ଙ୍କ ଏକ ବୈଠକ ଆୟୋଜିତ ହୋଇଯାଇଛି। କେନ୍ଦ୍ରୀୟ ସତର୍କତା ଆୟୋଗଙ୍କ ପକ୍ଷରୁ ଚାଲିଥିବା ତିନିମାସିଆ ସଚେତନତାମୂଳକ ସତର୍କତା ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଅଧିବେଶନରେ ନାଲ୍‌କୋର ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆ ଏବଂ ନାଲ୍‌କୋର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପ୍ରଣବଜ୍ୟୋତି ନାଥ, ଆଇଏଏସ୍, ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସଚ୍ଚୋଟତାର ପ୍ରସାରରେ ସତର୍କତା ବ୍ୟବସ୍ଥାର ଗୁରୁତ୍ୱ ଉପରେ ନିଜ ନିଜର ମତ ରଖିଥିଲେ।

କାର୍ଯ୍ୟକ୍ରମରେ ପ୍ରତିଷେଧମୂଳକ ସତର୍କତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ବୈଷୟିକ ଅଧିବେଶନ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ସତର୍କତା ଅନୁମୋଦନ (ଭିଜିଲାନ୍ସ କ୍ଲିୟରାନ୍ସ), ସମ୍ବେଦନଶୀଳ ପଦବି ଚିହ୍ନଟ, ଅଭିଯୋଗ ପରିଚାଳନା ନୀତି ଏବଂ ସତର୍କତାର ପରିସର ଓ ସୀମା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ସହ ଅନୁଷ୍ଠାନର ବିଶ୍ୱସନୀୟତାକୁ ମଜଭୁତ କରିବା ପାଇଁ ଏକ ସୁଦୃଢ଼ ସତର୍କତା ସଂସ୍କୃତି ଅତ୍ୟନ୍ତ ଆବଶ୍ୟକ। ଏହି ବୈଠକରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ, କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ଅଧିକାରୀଙ୍କ ସମେତ ଗେଲ୍‌, ଭେଲ୍‌, ଏମ୍‌ସିଏଲ୍‌, ବେଲ୍‌, ଏଚ୍‌ସିଏଲ୍‌ ଓ ଏସ୍‌ଇସିଏଲ୍‌ ଭଳି ପ୍ରମୁଖ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗର ମୁଖ୍ୟ ସତର୍କତା ଅଧିକାରୀ, ବିଭିନ୍ନ ସରକାରୀ ସଂଗଠନର ପ୍ରତିନିଧି, ନାଲ୍‌କୋର ବରିଷ୍ଠ ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ସତର୍କତା ଅଧିକାରୀମାନେ ଯୋଗ ଦେଇଥିଲେ।

ବିଶେଷଜ୍ଞ ଓ ଅଧିକାରୀମାନେ ଏହି ଅବସରରେ ସତର୍କତା କ୍ଷେତ୍ରରେ ଦେଖାଦେଉଥିବା ନୂତନ ଆହ୍ୱାନ, ବୃତ୍ତିଗତ ଅଭିଜ୍ଞତା ଏବଂ ବିଭିନ୍ନ ସଂଗଠନ ଦ୍ୱାରା ଅନୁସୃତ ଉତ୍ତମ ପଦ୍ଧତି ସମ୍ପର୍କରେ ମତ ବିନିମୟ କରିଥିଲେ। ସତର୍କତା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ଏବଂ କାର୍ଯ୍ୟକ୍ଷେତ୍ରରେ ନୈତିକ ଆଚରଣର ପରିବେଶ ସୃଷ୍ଟି କରିବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ବିଭିନ୍ନ କ୍ଷେତ୍ରର ସରକାରୀ ଉଦ୍ୟୋଗ ଓ ସରକାରୀ ସଂଗଠନର ସତର୍କତା ବିଶେଷଜ୍ଞମାନଙ୍କୁ ଏକ ମଞ୍ଚରେ ଏକତ୍ରିତ କରିଥିବା ଏହି ବୈଠକ ପାରସ୍ପରିକ ଶିକ୍ଷା, ଜ୍ଞାନ ବିନିମୟ ଓ ଅନୁଷ୍ଠାନଗତ ଅଭିଜ୍ଞତା ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିଥିଲା। ସରକାରୀ ସେବାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ପ୍ରଶାସନର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ବର୍ତ୍ତମାନର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତିଷେଧମୂଳକ ସତର୍କତା ପଦକ୍ଷେପକୁ ଅଧିକ ଫଳପ୍ରଦ କରିବା ପାଇଁ ଏହି ଅବସରରେ ସମସ୍ତେ ମିଳିତ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।