ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରୈହାନଙ୍କ ଫଟୋ ପ୍ରଦର୍ଶନୀରେ ବିବାଦ, ହଟିଲା ୭୪ଟି ଛବି

ପ୍ରଦର୍ଶନୀରୁ ଫଟୋ ହଟାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୨/୧୦: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ତଥା ଫଟୋଗ୍ରାଫର ରୈହାନ ରାଜୀବ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀରୁ ଦିଲ୍ଲୀରେ ହୋଇଥିବା ବିଭିନ୍ନ ଯୁବ ଆନ୍ଦୋଳନର ଅନେକ ଫଟୋ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରଦର୍ଶନୀ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏଭଳି କରାଯାଇଥିବାରୁ ଏହାକୁ ନେଇ ବିବାଦ ତୀବ୍ର ହୋଇଛି। ରୈହାନ ଏହାକୁ କଳା ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସଂକୁଚିତ କରିବାର ପ୍ରୟାସ ବୋଲି କହିଛନ୍ତି।

ରୈହାନଙ୍କ ‘ନୋ‌ ଆଇଡିଆ ଇଜ୍ ଫାଇନାଲ’ ଶୀର୍ଷକ ଫଟୋ ପ୍ରଦର୍ଶନୀ ଦିଲ୍ଲୀର ବିକାନେର ହାଉସ୍‌ରେ ଆୟୋଜିତ ହେବାର ଥିଲା। ଏଥିରେ ମୋଟ ୧୦୫ଟି ଫଟୋ ପ୍ରଦର୍ଶିତ ହେବାକୁ ଯୋଜନା ଥିଲା। ଏହି ଫଟୋଗୁଡ଼ିକ ମଧ୍ୟରୁ ଦିଲ୍ଲୀରେ ହୋଇଥିବା ଯୁବ ଆନ୍ଦୋଳନ ଓ ବିଭିନ୍ନ ପ୍ରତିବାଦର ଛବିକୁ ନେଇ ପ୍ରଦର୍ଶନୀ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଆପତ୍ତି ଉଠାଇଥିଲେ।

ରୈହାନଙ୍କ ଅଭିଯୋଗ ଅନୁସାରେ, ପ୍ରଦର୍ଶନୀରୁ ପ୍ରାୟ ୭୪ଟି ଫଟୋ ହଟାଇବାକୁ କୁହାଯାଇଥିଲା। ଏହାଦ୍ୱାରା ପ୍ରଦର୍ଶନୀର ଏକ ବଡ଼ ଅଂଶ ପ୍ରଭାବିତ ହୋଇଥିଲା।

ରୈହାନ କହିଛନ୍ତି, ଏହି ଫଟୋଗୁଡ଼ିକ ଦେଶରେ ଘଟୁଥିବା ଆନ୍ଦୋଳନକୁ ଜଣେ ଫଟୋଗ୍ରାଫରଙ୍କ ଦୃଷ୍ଟିକୋଣରୁ ଦର୍ଶାଉଥିଲା। ସେଗୁଡ଼ିକ କୌଣସି ବ୍ୟକ୍ତିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ନଥିଲା। କିନ୍ତୁ ପ୍ରଦର୍ଶନୀରେ ସୋ’ ହେବାକୁ ଥିବା ଆନ୍ଦୋଳନର ଫଟୋଗୁଡ଼ିକର ରାଜନୈତିକ ପ୍ରକୃତିକୁ ନେଇ ବିକାନେର ହାଉସ୍‌ ପରିଚାଳନା ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଏହି ଫଟୋ ପ୍ରଦର୍ଶନ ପାଇଁ ସମୟ ଉପଯୁକ୍ତ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା।

ତାଙ୍କ କହିବା ଅନୁସାରେ, ପ୍ରଦର୍ଶନୀ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ, ଅକ୍ଟୋବର ୨୧ ତାରିଖ ଅପରାହ୍ନ ପ୍ରାୟ ୩ଟା ୩୦ରେ ଫଟୋ ହଟାଇବା ସମ୍ପର୍କରେ ଲିଖିତ ନିର୍ଦ୍ଦେଶ ମିଳିଥିଲା। ଫଟୋ ନହଟାଇଲେ ପ୍ରଦର୍ଶନୀ ବାତିଲ୍ ହୋଇପାରେ ବୋଲି ତାଙ୍କୁ କୁହାଯାଇଥିବା ସେ ଗଣମାଧ୍ୟମରେ କହିଛନ୍ତି। ତେବେ ଏହି ଘଟଣାରେ ବିକାନେର ହାଉସ୍‌ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

ଏହି ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାତୀୟ ପତାକା ତ୍ରିରଙ୍ଗାର ଦୁଇଟି ଫଟୋକୁ ନେଇ ଉଠିଥିବା ଆପତ୍ତି। ରୈହାନଙ୍କ ଅଭିଯୋଗ ଅନୁସାରେ, ଆନ୍ଦୋଳନର ଫଟୋ ସହ ତ୍ରିରଙ୍ଗାର ଛବିକୁ ମଧ୍ୟ ହଟାଇବାକୁ କୁହାଯାଇଥିଲା। ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ।

ଏହି ଘଟଣା ପରେ କଂଗ୍ରେସ ନେତାମାନେ ମଧ୍ୟ କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ସୋସିଆଲ୍ ମିଡିଆରେ ଏହାକୁ କଳାର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ସମାଲୋଚନା କରିଛନ୍ତି।

ପୁଅଙ୍କ ପ୍ରଦର୍ଶନୀରୁ ଫଟୋ ହଟାଯିବା ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଫଟୋଗୁଡ଼ିକ କେବଳ ଆନ୍ଦୋଳନର ଦୃଶ୍ୟକୁ ଦର୍ଶାଉଥିଲା। ସେଥିରେ କାହାକୁ ଅପମାନିତ କରିବା କିମ୍ବା କୌଣସି ଆପତ୍ତିଜନକ ବିଷୟ ଦେଖାଇବା ଉଦ୍ଦେଶ୍ୟ ନଥିଲା।ଏହା କରିବା ଉଚିତ୍ ନଥିଲା। ଆଜି ତାଙ୍କ ପୁଅଙ୍କ ସହ ଏପରି ହୋଇଛି, ଆସନ୍ତାକାଲି ଅନ୍ୟ କୌଣସି କଳାକାରଙ୍କ ସହ ମଧ୍ୟ ଏଭଳି ହୋଇପାରେ ବୋଲି ସେ କହିଛନ୍ତି। ଏହା ଯୁବପିଢ଼ିର ସ୍ୱରକୁ ଦମନ କରିବା ସହ ଗଣତାନ୍ତ୍ରିକ ଅଧିକାରକୁ ନେଇ ପ୍ରଶ୍ନ ସୃଷ୍ଟି କରୁଥିବା ସେ କହିଛନ୍ତି।

ତେବେ ଫଟୋ ହଟାଯିବା ପରେ ମଧ୍ୟ ରୈହାନ ନିଜ ପ୍ରଦର୍ଶନୀକୁ ସମ୍ପୂର୍ଣ୍ଣ ବାତିଲ୍ କରିନାହାନ୍ତି। ଅବଶିଷ୍ଟ ଫଟୋ ସହ ପ୍ରଦର୍ଶନୀ ଜାରି ରଖିଥିଲେ। ହଟାଯାଇଥିବା ଫଟୋଗୁଡ଼ିକୁ ଅନ୍ୟ କୌଣସି ସ୍ଥାନରେ ପ୍ରଦର୍ଶନ କରିବାକୁ ସେ ଯୋଜନା କରୁଥିବା କହିଛନ୍ତି।