୨୮ରେ ଉପକୂଳ ଛୁଇଁବ ବାତ୍ୟା: ଆଇଏମଡି ଡିଜିଙ୍କ ସୂଚନା
ଓଡ଼ିଶା ଓ ଆନ୍ଧ୍ର ନିକଟ ସମୁଦ୍ରକୁ ୨୯ ଯାଏଁ ନ ଯିବାକୁ ପରାମର୍ଶ
୯୦ କିମି ବେଗରେ ପବନ ବହିବା ସମ୍ଭାବନା
ଭୁବନେଶ୍ୱର, ୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆସନ୍ତା ଅକ୍ଟୋବର ୨୮ ତାରିଖ ସକାଳେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଅକ୍ଟୋବର ୨୩ ତାରିଖ ସକାଳେ ପୂର୍ବକେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ତାରିଖରେ ଅବପାତ ଏବଂ ୨୫ ତାରିଖରେ ଗଭୀର ଅବପାତର ରୂପ ନେଇପାରେ। ପରେ ଅକ୍ଟୋବର ୨୬ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।
ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସହିତ ସମୁଦ୍ରରେ ପବନର ବେଗ ବଢ଼ିବ। ଅକ୍ଟୋବର ୨୪ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ୨୫ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ୭୫ କିଲୋମିଟର ରହିବା ସମ୍ଭାବନା ରହିଛି। ସେହିପରି, ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ଏହି ପାଣିପାଗ ପ୍ରଣାଳୀ ଉପକୂଳ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହେଲେ ପବନର ବେଗ ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ ବାତ୍ୟାର ସର୍ବାଧିକ ପବନ ବେଗ କେତେ ରହିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଛି। ତେଣୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ସମୁଦ୍ରକୁ ଅକ୍ଟୋବର ୨୯ ତାରିଖ ଯାଏଁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ତେବେ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଛୁଇଁବ ଏବଂ ସେତେବେଳେ ଏହାର ତୀବ୍ରତା କେତେ ରହିବ, ତାହା ସ୍ପଷ୍ଟ ହୋଇନାହିଁ।