ତିବ୍ବତ, ୨୩/୧୦: ତିବ୍ଦତରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂମିକମ୍ପ। ୭.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଶୁକ୍ରବାର ସକାଳ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ, ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଭୂକମ୍ପରେ ୩୩୯ଟି ଘର ଭୁଶୁଡ଼ି ପଡ଼ିବା ସହ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୦ଟି ପଶୁ ରହିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ, ଆହତଙ୍କ ଚିକିତ୍ସା ଓ ରିଲିଫ୍ ବଣ୍ଟନ ଜାରି ରହିଛି। ତେବେ ଏହି ବଡ଼ ଭୂକମ୍ପ ପରେ ୭ରୁ ଅଧିକ ଥର ଭୂକମ୍ପ ଝଟକାରେ ଥରିଥିଲା ତିବ୍ଦତ।
ଚୀନ୍ର ସରକାରୀ ଗଣମାଧ୍ୟମ ଜିନ୍ହୁଆ ଅନୁଯାୟୀ, ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୨ ତାରିଖ ରାତି ପ୍ରାୟ ୧୦ଟା ୩୩ ମିନିଟ୍ରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର ତିବ୍ଦତର ନାଗକୁ ସହର ଅନ୍ତର୍ଗତ ବାକେନ୍ ଜିଲ୍ଲାର ମାରୁ ଟାଉନ୍ସିପ୍ ଅଞ୍ଚଳରେ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଲାହସାଠାରୁ ପ୍ରାୟ ୩୯୦ରୁ ୪୦୦ କିଲୋମିଟର ଦୂରରେ ଥିଲା।
ଚୀନ୍ର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ନିକଟ ଅଞ୍ଚଳର ହାରାହାରି ଉଚ୍ଚତା ସମୁଦ୍ର ପତ୍ତନଠାରୁ ପ୍ରାୟ ୪,୮୬୪ ମିଟର। ଏହା ଏକ ଉଚ୍ଚ ପାର୍ବତ୍ୟ ଓ ଜନବସତି କମ୍ ଥିବା ଅଞ୍ଚଳ।
ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହେବା ପରେ ଅନେକ ଲୋକ ଘରୁ ବାହାରି ରାସ୍ତା ଓ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ଭୂକମ୍ପ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏକ ହଜାରରୁ ଅଧିକ ଅସ୍ଥାୟୀ ଘର, ପ୍ରାୟ ୩ ହଜାର ତମ୍ବୁ, ଫୋଲ୍ଡିଂ ଖଟ, ଟର୍ଚ୍ଚ ଲାଇଟ୍ ଓ ଶୀତବସ୍ତ୍ର ସମେତ ରିଲିଫ୍ ସାମଗ୍ରୀ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା କାର୍ଯ୍ୟରେ ଲାଗିଛନ୍ତି।
ଭୂକମ୍ପ ପରେ ପାର୍ବତ୍ୟ ଅଞ୍ଚଳରେ ପଥର ଖସିବା ଯୋଗୁଁ ଜାତୀୟ ରାଜପଥ ୩୧୭ରେ ଯାତାୟାତ ବନ୍ଦ କରାଯାଇଛି। ଏହି ରାସ୍ତାରେ କେବଳ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସହାୟତା ଯାନବାହନକୁ ଯିବାକୁ ଅନୁମତି ମିଳୁଛି।