ପୋଲିସର ଏନକାଉଣ୍ଟର: ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ
ଓଡ଼ିଶା ସମେତ ରାଜ୍ୟ ବାହାରେ ରହିଛି ୪୦ରୁ ଅଧିକ ମାମଲା
କେନ୍ଦୁଝର, ୨୩/୧୦: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୋଲିସ୍ ଏନ୍କାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଛି। ଆହତ ଅଭିଯୁକ୍ତ ହେଉଛି ଅର୍ଜୁନ ପ୍ରଧାନ। ତା’ର ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଅର୍ଜୁନର ଘର ଯାଜପୁର ଯଖପୁରା ଥାନା ଦଶମାଣିଆ ଗାଁରେ।ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ହୋଇଥିବା ଗହଣା ଦୋକାନ ଲୁଟ୍ ଘଟଣାରେ ଅର୍ଜୁନ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ନାଁରେ ଓଡ଼ିଶା ସମେତ ରାଜ୍ୟ ବାହାରେ ୪୦ରୁ ଅଧିକ ମାମଲା ଥିବା ଅଭିଯୋଗ ହୋଇଛି। ବିହାର ଏବଂ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ବି ରହିଛି ମାମଲା।
ସୂଚନା ଅନୁସାରେ, ନନ୍ଦିପଡ଼ା ଥାନା ଅଞ୍ଚଳରେ ପୋଲିସ୍ ଅଭିଯୁକ୍ତ ଅର୍ଜୁନ ପ୍ରଧାନକୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଅଭିଯୁକ୍ତ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା। ଏହାପରେ ପୋଲିସ୍ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଅର୍ଜୁନର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା।
ଏହାପରେ ପୋଲିସ୍ ତାକୁ କାବୁ କରି ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲକୁ ପଠାଇଥିଲା। ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ ହୋଇଛି।