ନୂଆଦିଲ୍ଲୀ, ୨୩/୧୦: ଆପଣ ଯଦି ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ସିମ୍ କାର୍ଡ ସହ ଜଡ଼ିତ ନୂଆ ନିୟମ ବିଷୟରେ ଜାଣିବା ଜରୁରୀ। ୨୦୨୭ ଜାନୁଆରୀ ୧ରୁ ଭାରତରେ ହ୍ୱାଟ୍ସଆପ, ଟେଲିଗ୍ରାମ ସମେତ ଅନ୍ୟ କେତେକ ମେସେଜିଂ ଆପ୍ ବ୍ୟବହାର କରିବାର ନିୟମରେ ପରିବର୍ତ୍ତନ ହୋଇପାରେ। ଦୂରସଞ୍ଚାର ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ମୋବାଇଲ୍ ନମ୍ବର ମାଧ୍ୟମରେ ପରିଚୟ ଯାଞ୍ଚ କରୁଥିବା ମେସେଜିଂ ଆପ୍ଗୁଡ଼ିକୁ ସମ୍ପୃକ୍ତ ସକ୍ରିୟ ସିମ୍ କାର୍ଡ ସହ ନିରନ୍ତର ସଂଯୁକ୍ତ ରଖିବାକୁ ପଡ଼ିବ। ଏଥିପାଇଁ ଆପ୍ଗୁଡ଼ିକୁ ୨୦୨୬ ଡିସେମ୍ବର ୩୧ ସୁଦ୍ଧା ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି।
ତେବେ ଏହି ନିୟମ ଲାଗୁ ହେଲେ ସମସ୍ତଙ୍କ ହ୍ୱାଟ୍ସଆପ ବନ୍ଦ ହେବନାହିଁ। କେବଳ ଯେଉଁମାନେ ପଞ୍ଜୀକୃତ ମୋବାଇଲ୍ ନମ୍ବରର ସିମ୍କୁ ଫୋନ୍ରୁ ବାହାର କରି ଅନ୍ୟ ଫୋନ୍ରେ ହ୍ୱାଟ୍ସଆପ ଚଳାଉଛନ୍ତି କିମ୍ବା କେବଳ ୱାଇ-ଫାଇ ମାଧ୍ୟମରେ ଏହି ଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।
କ’ଣ ଏହି ନୂଆ ସିମ୍-ବାଇଣ୍ଡିଙ୍ଗ ନିୟମ?
ସିମ୍-ବାଇଣ୍ଡିଙ୍ଗ ହେଉଛି ଏପରି ଏକ ବ୍ୟବସ୍ଥା, ଯାହା ମାଧ୍ୟମରେ ମେସେଜିଂ ଆପ୍ରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ସେହି ନମ୍ବରର ସକ୍ରିୟ ସିମ୍ କାର୍ଡ ମଧ୍ୟରେ ସଂଯୋଗ ରହିବ। ବର୍ତ୍ତମାନ ଅନେକ କ୍ଷେତ୍ରରେ ଥରେ ଓଟିପି ମାଧ୍ୟମରେ ନମ୍ବର ଯାଞ୍ଚ କରିବା ପରେ ସିମ୍କୁ ଫୋନ୍ରୁ ବାହାର କରିଦେଲେ ମଧ୍ୟ ଇଣ୍ଟରନେଟ୍ ସଂଯୋଗ ଥିବା ପର୍ଯ୍ୟନ୍ତ ହ୍ୱାଟ୍ସଆପ ବ୍ୟବହାର କରିହେଉଛି।
କିନ୍ତୁ ନୂଆ ନିୟମ ଅନୁସାରେ, ଆପ୍ ବ୍ୟବହାର କରୁଥିବା ଡିଭାଇସ୍ରେ ସମ୍ପୃକ୍ତ ସକ୍ରିୟ ସିମ୍ ରହିବା ଆବଶ୍ୟକ। ଏହାଦ୍ୱାରା କେବଳ ଇଣ୍ଟରନେଟ୍ ସଂଯୋଗ ଆଧାରରେ ସିମ୍ ବିନା ଆକାଉଣ୍ଟ୍ ଚଳାଇବା ଉପରେ କଟକଣା ଲାଗିବ।
ଅନଲାଇନ୍ ଠକେଇ, ନକଲି ପରିଚୟ ଏବଂ ଭାରତୀୟ ମୋବାଇଲ୍ ନମ୍ବରର ଅପବ୍ୟବହାର ରୋକିବା ଏହି ନିୟମର ପ୍ରମୁଖ ଉଦ୍ଦେଶ୍ୟ। କିଛି ସାଇବର ଅପରାଧୀ ସିମ୍ କାର୍ଡକୁ ଫୋନ୍ରୁ ବାହାର କରିବା ପରେ ମଧ୍ୟ ମେସେଜିଂ ଆପ୍ରେ ସକ୍ରିୟ ଥିବା ଆକାଉଣ୍ଟ୍ ବ୍ୟବହାର କରି ଲୋକଙ୍କୁ ଠକୁଥିବା ଅଭିଯୋଗ ରହିଛି।
ଏହା ସହିତ ନକଲି ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଠକେଇ, ଫିସିଂ ମେସେଜ୍, ନକଲି ନିବେଶ ଯୋଜନା ଏବଂ ଅନ୍ୟ ସାଇବର ଅପରାଧରେ ମେସେଜିଂ ଆପ୍ର ଅପବ୍ୟବହାର ହେଉଛି। ସିମ୍ ଏବଂ ଆକାଉଣ୍ଟ୍ ମଧ୍ୟରେ ନିରନ୍ତର ସଂଯୋଗ ରହିଲେ ଅପରାଧୀଙ୍କ ପାଇଁ ଏପରି ଆକାଉଣ୍ଟ୍ ଚଳାଇବା କଷ୍ଟକର ହୋଇପାରେ ବୋଲି ଆଶା କରାଯାଉଛି।
କାହା ଉପରେ ପଡ଼ିବ ପ୍ରଭାବ:
ଏହି ନିୟମ ଲାଗୁ ହେଲେ କିଛି ବ୍ୟବହାରକାରୀଙ୍କୁ ନିଜର ଫୋନ୍ ବ୍ୟବହାର ସିଷ୍ଟମ ବଦଳାଇବାକୁ ପଡ଼ିପାରେ।
ଯେଉଁମାନେ ଫୋନ୍ରୁ ସିମ୍ ବାହାର କରି କେବଳ ୱାଇ-ଫାଇ ମାଧ୍ୟମରେ ଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟ୍ରେ ପ୍ରତିବନ୍ଧକ ଆସିପାରେ।
ଯଦି ଗୋଟିଏ ଫୋନ୍ରେ ସିମ୍ ରଖି ଅନ୍ୟ ଫୋନ୍ରେ ସେହି ନମ୍ବରର ହ୍ୱାଟ୍ସଆପ ଚଳାଉଛନ୍ତି, ତେବେ ଏହି ବ୍ୟବସ୍ଥା ପ୍ରଭାବିତ ହୋଇପାରେ।
ନିୟମିତ ଭାବେ ସିମ୍ ବଦଳାଇବା କିମ୍ବା ପଞ୍ଜୀକୃତ ସିମ୍କୁ ନିଷ୍କ୍ରିୟ କରିବା ଦ୍ୱାରା ଆକାଉଣ୍ଟ୍ ଚଳାଇବାରେ ସମସ୍ୟା ହୋଇପାରେ।
କେବଳ ମୋବାଇଲ୍ ନୁହେଁ, କମ୍ପ୍ୟୁଟର୍ରେ ହ୍ୱାଟ୍ସଆପ ୱେବ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମର ଗୁରୁତ୍ୱ ରହିଛି। ପୂର୍ବରୁ ୱେବ୍ ସେସନ୍କୁ ପ୍ରତି ୬ ଘଣ୍ଟାରେ ଲଗ୍ଆଉଟ୍ କରିବା ବ୍ୟବସ୍ଥା ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବିପଦ ଆଧାରିତ ବା ରିସ୍କ ବେସ୍ଡ ଲଗ୍ଆଉଟ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।