ଏଲଏସିରେ ଏବେ ବି ଭାରତ-ଚୀନ୍ ମୁହାଁମୁହିଁ; ଏକାଧିକ ସ୍ଥାନରେ ଉତ୍ତେଜନା

ଡ୍ରୋନ୍ ଓ ନୂଆ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଉଛି ITBP

ନୂଆଦିଲ୍ଲୀ, ୨୩/୧୦: ଭାରତ-ଚୀନ୍ ସୀମାରେ ଏବେ ବି ଉତ୍ତେଜନା ଜାରି ରହିଛି। ଏଲଏସି ନିକଟରେ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବା ନେଇ ଭାରତ-ତିବ୍ବତ ସୀମା ପୁଲିସ (ITBP)ର ମହାନିର୍ଦ୍ଦେଶକ ଶତ୍ରୁଜିତ ସିଂ କପୁର ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ରାଜସ୍ଥାନର ଅଲୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସୀମାରେ ରହିଥିବା ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଏହାର ମୁକାବିଲା ପାଇଁ ITBP ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି ଯେ, ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସହ ଜୁଲାଇରୁ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହା ଯୋଗୁଁ ସୀମାର ଏକାଧିକ ସ୍ଥାନରେ ଉତ୍ତେଜନା ରହିଛି। ତେଣୁ ସୀମାରେ ନିରନ୍ତର ସତର୍କତା, ନିରୀକ୍ଷଣ ଏବଂ ଆବଶ୍ୟକ ପ୍ରସ୍ତୁତି ଉପରେ ଭାରତୀୟ ସୁରକ୍ଷା ବାହିନୀ ଗୁରୁତ୍ୱ ଦେଉଛନ୍ତି।

ଚୀନ୍ ଭାରତର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଏବଂ ଚୀନ୍ ସେନାର ଆଧୁନିକୀକରଣକୁ ଦୃଷ୍ଟିରେ ରଖି କେବଳ ପାରମ୍ପରିକ ଯୁଦ୍ଧ ପ୍ରସ୍ତୁତି ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ। ଆଧୁନିକ ଯୁଦ୍ଧରେ ଡ୍ରୋନ୍, ନିରୀକ୍ଷଣ ପ୍ରଯୁକ୍ତି ଏବଂ ନୂଆ ଯୁଦ୍ଧ କୌଶଳର ଗୁରୁତ୍ୱ ବଢ଼ିଛି। ଏହାକୁ ଧ୍ୟାନରେ ରଖି ITBP ନିଜର କାର୍ଯ୍ୟପ୍ରଣାଳୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି।

ସୀମା ସୁରକ୍ଷାକୁ ଅଧିକ ମଜଭୁତ କରିବା ପାଇଁ ITBP ନିଜର ସୀମା ସୁରକ୍ଷା ବାଟାଲିୟନ୍‌ଗୁଡ଼ିକରେ ଡ୍ରୋନ୍ ପ୍ଲାଟୁନ୍ ଗଠନ କରିଛି। ଏହାଦ୍ୱାରା ସୀମାନ୍ତ ଅଞ୍ଚଳରେ ନିରୀକ୍ଷଣ କ୍ଷମତା ବଢ଼ାଇବା ଏବଂ ଆଧୁନିକ ପ୍ରଯୁକ୍ତିର ସହାୟତାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।

ଏଥିସହ ଡ୍ରୋନ୍ ପରିଚାଳନା ପାଇଁ ଯବାନମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିଜସ୍ୱ ଡ୍ରୋନ୍ ନିର୍ମାଣ ଏବଂ ଡ୍ରୋନ୍‌ର ମୁକାବିଲା କରିପାରୁଥିବା ପ୍ରଯୁକ୍ତିର ବିକାଶ ଉପରେ ମଧ୍ୟ ବଳ ଦିଆଯାଉଛି।

୨୦୨୦ ମସିହାର ଗଲୱାନ ସଂଘର୍ଷ ପରେ ଭାରତ-ଚୀନ୍ ସୀମାରେ ସୁରକ୍ଷା ପ୍ରସ୍ତୁତିକୁ ନେଇ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ITBP ପକ୍ଷରୁ ଯବାନମାନଙ୍କ ପାଇଁ ‘ଷ୍ଟ୍ରାଇକ୍’ ନାମକ ଏକ ନୂଆ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି, ସୀମାରେ ହଠାତ୍ ଉତ୍ତେଜନା କିମ୍ବା ଗଲୱାନ ଭଳି ସଂଘର୍ଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଲେ ଯବାନମାନେ ଯେପରି ଉପଯୁକ୍ତ ଭାବେ ମୁକାବିଲା କରିପାରିବେ। ୨୦୨୭ ଶେଷ ସୁଦ୍ଧା ବାହିନୀର ସମସ୍ତ ଯବାନଙ୍କୁ ଏହି ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି।

ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ନବଗଠିତ ‘ସୌର୍ଯ୍ୟ କମାଣ୍ଡୋ’ ଦଳର ପ୍ରଦର୍ଶନକୁ ମଧ୍ୟ ITBP ଡିଜି ପ୍ରଶଂସା କରିଛନ୍ତି। ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଚୀନ୍ ସେନା ସହ ମୁହାଁମୁହିଁ ସ୍ଥିତି ସମୟରେ ଏହି ଦଳ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସେ କହିଛନ୍ତି।