ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଆମେରିକାରେ ଗିରଫ

ଭାରତ ଆଣିବାକୁ ଚାଲିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୨୪/୧୦: ଆମେରିକାରେ ଗିରଫ ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ। ଆମେରିକାର ଲସ୍‌ ଭେଗାସ୍‌ରେ ତା’ ବିଷୟରେ ଭାରତର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୂଚନା ଦେବା ପରେ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ତାକୁ ଗିରଫ କରିଛି। ତା’ ସହ ଅନ୍ୟ ଜଣେ ଫେରାର ଅପରାଧୀ ନୀରଜ ଫରିଦପୁରିଆ ମଧ୍ୟ ଧରାପଡ଼ିଛି। ଏବେ ଉଭୟଙ୍କୁ ଭାରତ ଫେରାଇ ଆଣିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ହିମାଂଶୁ ବିରୋଧରେ ଇଣ୍ଟରପୋଲ୍‌ ପକ୍ଷରୁ ରେଡ୍‌ ନୋଟିସ୍‌ ଜାରି ହୋଇଥିଲା। ତାକୁ ଧରିବା ପାଇଁ ଦିଲ୍ଲୀ ଓ ହରିୟାଣା ପୁଲିସର ଏକାଧିକ ଟିମ୍‌ ଆମେରିକାରେ ତାକୁ ଧରିବାକୁ ଉଦ୍ୟମ କରୁଥିଲେ। ଗୁପ୍ତ ସୂଚନା ଆଧାରରେ ଲସ୍‌ ଭେଗାସ୍‌ରେ ସେ ଥିବା ଜଣାପଡ଼ିବା ପରେ ଗୁରୁବାର ସନ୍ଧ୍ୟାରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

କିଏ ଏହି ହିମାଂଶୁ ଭାଉ?

ହିମାଂଶୁ ଭାଉ ଓରଫ କୁନାଲ.. ବୟସ ୨୩ ବର୍ଷ। ସେ ହରିୟାଣାର ରୋହତକ ଜିଲ୍ଲା ଅନ୍ତର୍ଗତ ରିତୋଲି ଗାଁର ବାସିନ୍ଦା। ରୋହତକର ସବ୍‌ଜି ମଣ୍ଡି ଅଞ୍ଚଳରେ ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରି ତା’ର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା।

ସେ ନିଜ ଗାଁର ସନ୍ନି ନାମକ ଜଣେ ଯୁବକଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ। ୨୦୨୦ରେ ହରିୟାଣାର ହିସାରସ୍ଥିତ ଏକ ବାଳ ସଂଶୋଧନ ଗୃହରୁ ଫେରାର ହୋଇଯିବା ପରେ ସେ ସ୍ଥାନୀୟ ଅପରାଧୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ନୀରଜ ବାୱାନା ସହ ମଧ୍ୟ ତା’ର ସମ୍ପର୍କ ଥିବା ଅଭିଯୋଗ ରହିଛି। ପରେ ସେ ନିଜର ଏକ ଗ୍ୟାଙ୍ଗ ଗଠନ କରିଥିଲା।

ହିମାଂଶୁ ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ସେଥିମଧ୍ୟରୁ ଅତି କମ୍‌ରେ ୧୬ଟି ହତ୍ୟା ଓ ହତ୍ୟା ଉଦ୍ୟମ ସମ୍ପର୍କିତ ବୋଲି ଏନ୍‌ଆଇଏ ସୂତ୍ରରୁ ଜଣାପଡ଼ିଛି।

ଜାଲ୍‌ କାଗଜପତ୍ରରେ ପାସ୍‌ପୋର୍ଟ, ୟୁରୋପ ଦେଇ ବିଦେଶ ଫେରାର

ତଦନ୍ତକାରୀଙ୍କ ଅନୁସାରେ, ନିଜ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହେବା ପୂର୍ବରୁ ହିମାଂଶୁ ଜାଲ୍‌ କାଗଜପତ୍ର ବ୍ୟବହାର କରି ‘କୁନାଲ ସିଂହ’ ନାମରେ ୨୦୨୨ ଅଗଷ୍ଟରେ ଉତ୍ତରପ୍ରଦେଶର ବରେଲିରୁ ପାସ୍‌ପୋର୍ଟ ହାସଲ କରିଥିଲା। ଏହାପରେ ସେ ଭାରତ ଛାଡ଼ିଥିଲା।

ପ୍ରଥମେ ସଂଯୁକ୍ତ ଆରବ ଏମିରେଟ୍ସ ଯାଇଥିବା ହିମାଂଶୁ ପରେ ବେଆଇନ ଭାବେ ୟୁରୋପ ଯାଇଥିଲା। ପରବର୍ତ୍ତୀ ସମୟରେ ପର୍ତ୍ତୁଗାଲ୍‌ରୁ ସେ ନିଜ ଅପରାଧିକ ନେଟୱର୍କ ଚଳାଉଥିଲା। ଏହି ଗ୍ୟାଙ୍ଗ ଦିଲ୍ଲୀ, ହରିୟାଣା ଓ ପଞ୍ଜାବରେ ମଧ୍ୟ ସକ୍ରିୟ ଅଛନ୍ତି।

ଅନ୍ୟପଟେ ନୀରଜ ଫରିଦପୁରିଆ ମଧ୍ୟ ଆମେରିକାରେ ଧରାପଡ଼ିଛି। ଚଳିତ ବର୍ଷ ତାକୁ ଅଟକ ରଖାଯିବା ପରେ ଜାମିନରେ ମୁକ୍ତ କରାଯାଇଥିଲା। ତେବେ ଗୋଡ଼ରେ ଲଗାଯାଇଥିବା ଟ୍ରାକିଂ ଡିଭାଇସ୍‌କୁ ହଟାଇ ସେ ଫେରାର ହୋଇଯାଇଥିଲା।

ନୀରଜ ପଞ୍ଜାବର କୁଖ୍ୟାତ ବାମ୍ବିହା ଗ୍ୟାଙ୍ଗ ସହ ଜଡ଼ିତ। ଏହି ଗ୍ୟାଙ୍ଗର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଶତ୍ରୁତା ରହିଛି। ଜେଲ୍‌ରେ ଥିବା ସମୟରେ ନୀରଜର କୌଶଳ ଚୌଧୁରୀ ଓ ଅମିତ ଡାଗରଙ୍କ ସହ ସମ୍ପର୍କ ହୋଇଥିଲା। ପରେ ଦିନେଶ ଗାନ୍ଧୀଙ୍କ ଜରିଆରେ ସେ ବାମ୍ବିହା ଗ୍ୟାଙ୍ଗର ନିକଟତର ହୋଇଥିଲା।

ହିମାଂଶୁ ଓ ନୀରଜଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ କେନ୍ଦ୍ରୀୟ ଏଜେନ୍ସି ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ସମନ୍ୱୟ ରଖି କାମ କରୁଛନ୍ତି। ଭାରତ ଆଣିବାକୁ ପ୍ରକ୍ରିୟା ଚାଲିଛି।

ଏନ୍‌ଆଇଏ ସୂତ୍ର ଅନୁସାରେ, ହରିୟାଣାରେ ପ୍ରାୟ ୮୦ଟି ସକ୍ରିୟ ଅପରାଧିକ ଗ୍ୟାଙ୍ଗ ରହିଛି। ଏଥିମଧ୍ୟରେ ହିମାଂଶୁ ଭାଉ ଗ୍ୟାଙ୍ଗ, ନୀରଜ ଫରିଦପୁରିଆ ଗ୍ୟାଙ୍ଗ ଏବଂ ଲରେନ୍ସ ବିଷ୍ଣୋଇ/ଭାନୁ ପ୍ରତାପ ଗ୍ୟାଙ୍ଗ ଭଳି ଗୋଷ୍ଠୀ ରହିଛନ୍ତି। ଏହି ଗ୍ୟାଙ୍ଗଗୁଡ଼ିକ ବଟି ଆଦାୟ, ହତ୍ୟା ଓ ଅନ୍ୟାନ୍ୟ ହିଂସାତ୍ମକ ଅପରାଧରେ ସମ୍ପୃକ୍ତ ଅଛନ୍ତି।