ଆରବିଆଇ ଡାଟା ସେଣ୍ଟର ଓ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

‘ନୂଆ ଭାରତ’କୁ ନୂଆ ସଂସ୍ଥାନ ଦେଲା ଭୁବନେଶ୍ବର: ମୋଦି

ଜଟଣୀ, ୨୫/୧୦: ଖୋର୍ଦ୍ଧାର ଜଟଣୀସ୍ଥିତ ଇନ୍‌ଫୋଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଅତ୍ୟାଧୁନିକ ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ରତିଷ୍ଠାନ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ସହ ଡିଜିଟାଲ୍ ଅର୍ଥନୀତିକୁ ନୂଆ ଶକ୍ତି ଯୋଗାଇବ। ଏହା ସହ ଓଡ଼ିଶାରେ ନୂଆ ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟାର ବିକାଶ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉଦ୍‌ଘାଟନ ପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାରେ ଏକ ନୂଆ ପ୍ରତିଷ୍ଠାନ ଦେଶର ବିକାଶ ପାଇଁ ଉତ୍ସର୍ଗ ହୋଇଛି। ନୂଆ ଭାରତ ନିର୍ମାଣ ଦିଗରେ ଏହା ଏକ ନୂଆ ଅବଦାନ। ଦେଶର ସାମଗ୍ରିକ ବିକାଶ ପାଇଁ କେବଳ ବଡ଼ ସହର ନୁହେଁ, ଛୋଟ ସହରଗୁଡ଼ିକର ମଧ୍ୟ ବଡ଼ ଭୂମିକା ରହିବା ଆବଶ୍ୟକ ବୋଲି ସେ କହିଥିଲେ।

ଗରିବ ଲୋକଙ୍କ ନାଁରେ ଦୀର୍ଘ ବର୍ଷ ଧରି ଅନେକ ଘୋଷଣା ଓ ପ୍ରଚାର ହୋଇଥିଲେ ମଧ୍ୟ ସେମାନେ ପ୍ରକୃତ ବ୍ୟାଙ୍କିଂ ସେବାରୁ ବଞ୍ଚିତ ରହିଥିଲେ। ୧୯୬୦ ଓ ୧୯୭୦ ଦଶକରେ ଗରିବଙ୍କ ହିତ ପାଇଁ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଅନେକ ଗରିବ ଲୋକ ବ୍ୟାଙ୍କିଂ ସେବାର ପ୍ରକୃତ ଲାଭ ପାଇପାରୁନଥିଲେ। ପୂର୍ବରୁ ଗରିବ ଲୋକଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ମଧ୍ୟ ଗ୍ୟାରେଣ୍ଟରଙ୍କ ଆବଶ୍ୟକତା ପଡ଼ୁଥିଲା। କିନ୍ତୁ ଏବେ ଡିଜିଟାଲ୍ ବ୍ୟାଙ୍କିଂ ଘରେ ଘରେ ପହଞ୍ଚିଛି।

ପୂର୍ବ କଂଗ୍ରେସ ସରକାରକୁ ନିଶାନା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ, ସରକାର ଗରିବଙ୍କ ପାଇଁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଥିଲା। କିନ୍ତୁ ଏବେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ସରକାରୀ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏହାଦ୍ୱାରା ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ ପାଇବା ସହ ସରକାରୀ ଅର୍ଥର ସଠିକ୍ ବିନିଯୋଗ ଓ ଆର୍ଥିକ ସ୍ୱଚ୍ଛତା ବୃଦ୍ଧି ପାଇଛି। ଦେଶରେ ଡିଜିଟାଲ୍ ଅର୍ଥନୀତିର ବିସ୍ତାର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ସହ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ସହାୟକ ହେଉଛି।

ସାଧାରଣ ଲୋକଙ୍କ ଆର୍ଥିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଅଟଳ ପେନ୍‌ସନ୍ ଯୋଜନା ମାଧ୍ୟମରେ ଦେଶରେ ପ୍ରାୟ ୯ କୋଟି ଲୋକ ଉପକୃତ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ପ୍ରାୟ ୩୮ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଇଛନ୍ତି।

ସେହିପରି ଅଳ୍ପ ପ୍ରିମିୟମ୍‌ରେ ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି। ମାତ୍ର ୨୦ ଟଙ୍କା ପ୍ରିମିୟମ୍‌ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁରକ୍ଷା ମିଳୁଛି। ଏହି ବାବଦରେ ଏପର୍ଯ୍ୟନ୍ତ ପ୍ରାୟ ୨୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଭଳି ଯୋଜନା ଗରିବ ଓ ନିମ୍ନ ଆୟବର୍ଗର ପରିବାରକୁ ଆର୍ଥିକ ସୁରକ୍ଷା ଦେବାରେ ସହାୟକ ହେଉଥିବା ସେ କହିଥିଲେ।

ଆର୍‌ବିଆଇର ନୂଆ ଡାଟା ସେଣ୍ଟରର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦୁନିଆରେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଲଢ଼ାଯାଉ ନାହିଁ। ଆଧୁନିକ ଯୁଦ୍ଧ ଓ ସଂଘର୍ଷରେ କୌଣସି ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ମଧ୍ୟ ଉଦ୍ୟମ ହୋଇପାରେ। ତେଣୁ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଓ ଆର୍ଥିକ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବର୍ତ୍ତମାନ ଅଧିକାଂଶ ବ୍ୟାଙ୍କିଂ କାରବାର ଡିଜିଟାଲ୍ ମାଧ୍ୟମରେ ହେଉଛି। ଅନଲାଇନ୍ ଟଙ୍କା ଦେଣନେଣ, ଡିଜିଟାଲ୍ ପେମେଣ୍ଟ୍ ଓ ବ୍ୟାଙ୍କ ଖାତା ପରିଚାଳନା ପାଇଁ ବିପୁଳ ପରିମାଣର ତଥ୍ୟ ସଂରକ୍ଷଣ କରାଯାଉଛି। ଏହି ତଥ୍ୟର ସୁରକ୍ଷା ଏବଂ ବ୍ୟାଙ୍କିଂ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ଏକ ଶକ୍ତିଶାଳୀ ଡାଟା ସେଣ୍ଟରର ଆବଶ୍ୟକତା ରହିଛି। ଏହି ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ମାଧ୍ୟମରେ ସାଇବର୍ ବିପଦକୁ ଚିହ୍ନଟ କରିବା ସହ ଡିଜିଟାଲ୍ ଆକ୍ରମଣର ମୁକାବିଲା କରିବା ଏବଂ ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ଦିଗରେ ଦକ୍ଷତା ବିକାଶ କରିବାର ସୁଯୋଗ ସୃଷ୍ଟି ହେବ।

ଓଡ଼ିଶାର ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରର ବିକାଶ ସମ୍ପର୍କରେ କହିଥିଲେ, ରାଜ୍ୟରେ ମାଇକ୍ରୋଚିପ୍‌ ଓ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ଖୋଲୁଛି। ଓଡ଼ିଶାରେ ଡାଟା ସେଣ୍ଟର କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବାର ସମ୍ଭାବନା ଥିବାରୁ ରାଜ୍ୟର ଅର୍ଥନୀତିକୁ ଏହା ନୂଆ ଗତି ଦେଇପାରିବ।

ବିଶେଷକରି ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ଆଇଟି, ଡାଟା ପରିଚାଳନା, ସାଇବର୍ ସୁରକ୍ଷା ଏବଂ ଡିଜିଟାଲ୍ ସେବା ସହ ଜଡ଼ିତ କ୍ଷେତ୍ରରେ ବିକାଶର ସମ୍ଭାବନା ରହିଛି। ଏହାଦ୍ୱାରା ଦକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି, ପ୍ରଶିକ୍ଷଣ ଓ ବୈଷୟିକ ଜ୍ଞାନ ହାସଲ କରିବାର ନୂଆ ରାସ୍ତା ଖୋଲିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଅଭିଭାଷଣ ପ୍ରଦାନ କରିଥିଲେ।