ଭୁଲ୍ ସୂଚନାର ପର୍ଦ୍ଦାଫାସ: ବିଶ୍ୱର ବିଭିନ୍ନ ଦେଶରେ ମତଦାତା ତାଲିକା ସଂଶୋଧନର ଉଦାହରଣ: ତପନ ଚାନ୍ଦ

‘ଭାରତରେ ଏସଆଇଆର ଏକ ନୂଆ ନୁହେଁ, ଐତିହାସିକ ପ୍ରକ୍ରିୟା’

ଭୁବନେଶ୍ୱର, ୨୫/୧୦: ଗଣତନ୍ତ୍ରର ସଫଳତା କେବଳ ନିର୍ବାଚନ ପରିଚାଳନା ଉପରେ ନୁହେଁ, ବରଂ ମତଦାତା ତାଲିକାର ସଠିକତା ଓ ବିଶ୍ୱସନୀୟତା ଉପରେ ମଧ୍ୟ ନିର୍ଭର କରେ। ଯୋଗ୍ୟ ନାଗରିକଙ୍କୁ ମତଦାନରୁ ବଞ୍ଚିତ ନ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନରହିବା ଏକ ସୁସ୍ଥ ଗଣତନ୍ତ୍ରର ପରମ୍ପରା ବୋଲି କହିଛନ୍ତି ନାଲକୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଡ଼ଃ ତପନ ଚାନ୍ଦ।

ଭାରତରେ ମତଦାତା ତାଲିକାର ସ୍ୱତନ୍ତ୍ର ସଙ୍ଘନ ସଂଶୋଧନ ଏସଆଇଆରକୁ ନେଇ ବିଭିନ୍ନ ମତ ଓ ଆଲୋଚନା ହେଉଛି। କେତେକ ସ୍ଥାନରେ ଏହାକୁ ନେଇ ଭୁଲ୍‌ ସୂଚନା, ଅତିରଞ୍ଜିତ ଦାବି ଓ ରାଜନୈତିକ ବିବାଦ ମଧ୍ୟ ଦେଖିବାକୁ ମିଳୁଛି। ଏପରି ସମୟରେ ଭାବପ୍ରବଣ ଯୁକ୍ତି ପରିବର୍ତ୍ତେ ଆଇନ, ତଥ୍ୟ ଓ ଆନ୍ତର୍ଜାତୀୟ ଅଭିଜ୍ଞତା ଆଧାରରେ ବିଷୟଟିକୁ ବିଶ୍ଳେଷଣ କରିବା ଆବଶ୍ୟକ।

ଭାରତରେ ଏସଆଇଆର ଏକ ନୂଆ ନୁହେଁ, ଐତିହାସିକ ପ୍ରକ୍ରିୟା

ଭାରତରେ ମତଦାତା ତାଲିକାର ସ୍ୱତନ୍ତ୍ର ସଙ୍ଘନ ସଂଶୋଧନର ଇତିହାସ ସ୍ୱାଧୀନତା ପରବର୍ତ୍ତୀ ନିର୍ବାଚନୀ ବ୍ୟବସ୍ଥା ସହ ଜଡ଼ିତ। ନିର୍ବାଚନ ଆୟୋଗଙ୍କ ୨୦୨୫ର ଆଦେଶ ଅନୁଯାୟୀ, ୧୯୫୨-୫୬, ୧୯୫୭, ୧୯୬୧, ୧୯୬୫-୬୬, ୧୯୮୩-୮୪, ୧୯୮୭-୮୯, ୧୯୯୨-୯୫ ଏବଂ ୨୦୦୨-୦୪ ମସିହାରେ ବିଭିନ୍ନ ପର୍ଯ୍ୟାୟରେ ଏପରି ସଂଶୋଧନ କରାଯାଇଥିଲା।

ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ମତଦାତାଙ୍କ ବିବରଣୀ ଯାଞ୍ଚ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍‌ ଦେବା, ଏକାଧିକ ପଞ୍ଜୀକରଣ ଚିହ୍ନଟ କରିବା ଏବଂ ଯୋଗ୍ୟ ନୂତନ ମତଦାତାଙ୍କ ନାମ ସାମିଲ କରିବା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଓ ଜନପ୍ରତିନିଧିତ୍ୱ ଆଇନ, (People’s Representation Act) ୧୯୫୦ ଏହି ପ୍ରକ୍ରିୟାର ଆଇନଗତ ଆଧାର ପ୍ରଦାନ କରେ।

ଏହାର ଅର୍ଥ ହେଉଛି, SIR ସମ୍ବିଧାନ ଅନୁମୋଦିତ ଓ ଆଇନଗତ ଏକ ନିର୍ବାଚନୀ ପ୍ରଶାସନିକ ପ୍ରକ୍ରିୟା; ଏହାକୁ ନୂଆ କିମ୍ବା କେବଳ ଗୋଟିଏ ରାଜନୈତିକ ଦଳର ଉଦ୍ୟମ ବୋଲି ଦର୍ଶାଇବା ଉଚିତ ନୁହେଁ।

ବିଶ୍ୱର ବିଭିନ୍ନ ଦେଶରେ ମତଦାତା ତାଲିକା ସଂଶୋଧନ

ମତଦାତା ତାଲିକାକୁ ସଠିକ୍‌ ରଖିବା କେବଳ ଭାରତର ଆବଶ୍ୟକତା ନୁହେଁ। ବିଶ୍ୱର ଅନେକ ଗଣତାନ୍ତ୍ରିକ ଦେଶ ଏଥିପାଇଁ ନିୟମିତ ଯାଞ୍ଚ, ତଥ୍ୟ ଅଦ୍ୟତନ ଓ ସଂଶୋଧନ ପ୍ରକ୍ରିୟା ଅନୁସରଣ କରୁଛନ୍ତି।

୧. ବ୍ରିଟେନ୍‌: ବ୍ରିଟେନ୍‌ରେ ପ୍ରତିବର୍ଷ ମତଦାତା ତାଲିକାର ସଠିକତା ଯାଞ୍ଚ ପାଇଁ Annual Canvass କରାଯାଏ। ଏଥିରେ ଘରକୁ ଘର ଯୋଗାଯୋଗ, ଠିକଣା ଯାଞ୍ଚ ଓ ନୂତନ ମତଦାତାଙ୍କ ପଞ୍ଜୀକରଣ ପାଇଁ ପଦକ୍ଷେପ ନିଆଯାଏ। ବ୍ରିଟେନ୍‌ର ନିର୍ବାଚନ ଆୟୋଗ ତାଲିକାର ଶୁଦ୍ଧତା ଓ ସମ୍ପୂର୍ଣ୍ଣତାକୁ ପୃଥକ୍‌ ଭାବେ ମାପିଥାଏ।

୨. ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ Australian Electoral Commission (AEC) ମତଦାତା ତାଲିକାର ନିର୍ଭୁଲତା ଯାଞ୍ଚ ପାଇଁ Annual Roll Integrity Review କରେ। ଏଥିରେ ମତଦାତାଙ୍କ ଠିକଣା ଓ ନିର୍ବାଚନମଣ୍ଡଳୀ ସମ୍ପର୍କିତ ତଥ୍ୟକୁ ବିଭିନ୍ନ ଉପଲବ୍ଧ ତଥ୍ୟସୂତ୍ର ସହ ମିଳାଇ ଦେଖାଯାଏ। ଏହାର ଲକ୍ଷ୍ୟ ହେଉଛି ତାଲିକାର ସଠିକତା ଓ ସମ୍ପୂର୍ଣ୍ଣତା ବଜାୟ ରଖିବା।

୩. କାନାଡା: କାନାଡାରେ National Register of Electors ନାମକ ଜାତୀୟ ମତଦାତା ତଥ୍ୟଭଣ୍ଡାର ରହିଛି। Elections Canada ବିଭିନ୍ନ ତଥ୍ୟସୂତ୍ର ମାଧ୍ୟମରେ ଏହାକୁ ନିୟମିତ ଅଦ୍ୟତନ କରେ। ନାଗରିକମାନେ ନିଜ ପଞ୍ଜୀକରଣରେ ତ୍ରୁଟି ଥିଲେ ତାହା ସଂଶୋଧନ କରାଇପାରନ୍ତି। ଏହା ଦର୍ଶାଏ ଯେ ଆଧୁନିକ ଗଣତନ୍ତ୍ରରେ ତାଲିକାର ନିରନ୍ତର ଯାଞ୍ଚ ଓ ଅଦ୍ୟତନ ଏକ ସାଧାରଣ ପ୍ରଶାସନିକ ଅଭ୍ୟାସ।

୪.ଫ୍ରାନ୍ସ: ନିରନ୍ତର ରିଅଲ୍-ଟାଇମ୍ ପଞ୍ଜୀକରଣ ଏବଂ ପୌରସଂସ୍ଥା ଦ୍ୱାରା ସମୀକ୍ଷା: ଏକକ ମତଦାତା ଡାଟାବେସ୍ (REU): ଫ୍ରାନ୍ସରେ ଜାତୀୟ ପରିସଂଖ୍ୟାନ ସଂସ୍ଥା INSEE ଦ୍ୱାରା ପରିଚାଳିତ Répertoire Électoral Unique (REU) ନାମକ ଏକ କେନ୍ଦ୍ରୀକୃତ ଓ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ଏହି ଡାଟାବେସ୍‌ରେ ନାଗରିକମାନଙ୍କ ତଥ୍ୟ ନିରନ୍ତର ଅଦ୍ୟତନ ହୁଏ। ଜଣେ ଯୁବକ ବା ଯୁବତୀ ୧୮ ବର୍ଷ ବୟସରେ ପହଞ୍ଚିଲେ ସ୍ୱୟଂଚାଳିତ ଭାବେ ମତଦାତା ଭାବେ ପଞ୍ଜୀକରଣ କରାଯାଏ। ସେହିପରି, ମୃତ୍ୟୁ ପଞ୍ଜୀକୃତ ହେବା ପରେ ସମ୍ପୃକ୍ତ ତଥ୍ୟ ଆଧାରରେ ମୃତ ବ୍ୟକ୍ତିଙ୍କ ନାମ ମତଦାତା ତାଲିକାରୁ ବାଦ ଦେବା ପାଇଁ ଆବଶ୍ୟକ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୁଏ।

୫. ପୃଥିବୀର ଅନେକ ଦେଶରେ ମତଦାତା ତାଲିକାର ସଂଶୋଧନ ଏକ ପ୍ରମାଣିତ ପ୍ରକ୍ରିୟା ଭାବେ ପ୍ରଚଳିତ। ଉଦାହରଣ ସ୍ୱରୂପ—ନେପାଳ, ଭୁଟାନ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶରେ ମତଦାତା ତାଲିକାର ଯାଞ୍ଚ, ଅଦ୍ୟତନ ଓ ସଂଶୋଧନ କରାଯାଏ, ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟାର ସଠିକତା ଓ ବିଶ୍ୱସନୀୟତା ବଜାୟ ରଖାଯାଇପାରିବ।

ଏହି ଉଦାହରଣଗୁଡ଼ିକରୁ ସ୍ପଷ୍ଟ ହୁଏ ଯେ ମତଦାତା ତାଲିକାର ସଂଶୋଧନ ଗଣତନ୍ତ୍ର ବିରୋଧୀ ପଦକ୍ଷେପ ନୁହେଁ। ବରଂ, ସଠିକ୍‌ ଓ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବା ଅନେକ ଦେଶର ନିର୍ବାଚନୀ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଂଶ।

ଭୁଲ୍‌ ସୂଚନା ଓ ବାସ୍ତବତା

SIRକୁ ନେଇ ଆଲୋଚନା ସମୟରେ କେତେକ ଭ୍ରାନ୍ତି ଦୂର କରିବା ଆବଶ୍ୟକ।

ପ୍ରଥମତଃ, ମତଦାତା ତାଲିକାରେ ନାମ ଯାଞ୍ଚ କରିବା ମାତ୍ରେ କୌଣସି ବ୍ୟକ୍ତିଙ୍କ ନାମ ବାଦ୍‌ ହୋଇଯାଏ ନାହିଁ। ନାମ ବାଦ୍‌ ଦେବା ପାଇଁ ନିୟମାନୁସାରେ ଯାଞ୍ଚ ଓ ନିଷ୍ପତ୍ତି ଆବଶ୍ୟକ।

ଦ୍ୱିତୀୟତଃ, ତାଲିକାରେ ତ୍ରୁଟି ଥିବା ଅର୍ଥ ସମସ୍ତ ତ୍ରୁଟି ଜାଲିଆତିର ପ୍ରମାଣ ନୁହେଁ। ମୃତ୍ୟୁ, ସ୍ଥାନାନ୍ତରଣ, ତଥ୍ୟ ଅଦ୍ୟତନର ବିଳମ୍ବ ଓ ଦ୍ୱିତୀୟ ପଞ୍ଜୀକରଣ ଭଳି କାରଣରୁ ମଧ୍ୟ ତ୍ରୁଟି ହୋଇପାରେ।

ତୃତୀୟତଃ, SIR ର ଉଦ୍ଦେଶ୍ୟ ଯୋଗ୍ୟ ମତଦାତାଙ୍କୁ ବାଦ୍‌ ଦେବା ନୁହେଁ। ନିର୍ବାଚନ ଆୟୋଗଙ୍କ ଘୋଷିତ ଲକ୍ଷ୍ୟ ହେଉଛି ଯୋଗ୍ୟ ନାଗରିକଙ୍କୁ ତାଲିକାରେ ସାମିଲ କରିବା ସହିତ ଅଯୋଗ୍ୟ ଏଣ୍ଟ୍ରିଗୁଡ଼ିକୁ ନିୟମାନୁସାରେ ଚିହ୍ନଟ କରିବା।

ସେହିପରି, ନାଗରିକମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ପ୍ରତ୍ୟେକ ଦାବିକୁ ସତ୍ୟ ବୋଲି ଗ୍ରହଣ ନ କରି ନିର୍ବାଚନ ଆୟୋଗଙ୍କ ଅଧିକାରିକ ନିର୍ଦ୍ଦେଶ, ଆଇନଗତ ବ୍ୟବସ୍ଥା ଓ ପ୍ରମାଣଭିତ୍ତିକ ତଥ୍ୟ ଯାଞ୍ଚ କରିବା ଉଚିତ।

ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକର ଅଭିଜ୍ଞତା ପ୍ରମାଣ କରେ ଯେ ମତଦାତା ତାଲିକାର ଶୁଦ୍ଧତା ରକ୍ଷା କରିବା ଏକ ନିରନ୍ତର ପ୍ରକ୍ରିୟା। ଭାରତର SIRକୁ ମଧ୍ୟ ଏହି ବ୍ୟାପକ ଗଣତାନ୍ତ୍ରିକ ପରିପ୍ରେକ୍ଷୀରେ ବିଚାର କରିବା ଆବଶ୍ୟକ।

ଗଣତନ୍ତ୍ରର ସୁରକ୍ଷା ପାଇଁ ଦୁଇଟି ଲକ୍ଷ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ—ମତଦାତା ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ନ ରହିବା ଏବଂ କୌଣସି ଯୋଗ୍ୟ ନାଗରିକ ମତାଧିକାରରୁ ବଞ୍ଚିତ ନ ହେବା। ଭୁଲ୍‌ ସୂଚନାକୁ ଦୂର କରିବାର ସର୍ବୋତ୍ତମ ଉପାୟ ହେଉଛି ତଥ୍ୟ, ସ୍ୱଚ୍ଛତା, ଆଇନର ଶାସନ ଓ ଦାୟିତ୍ୱପୂର୍ଣ୍ଣ ନାଗରିକ ସହଭାଗିତା।