ଭୂସ୍ଖଳନ ଓ ଆଗାମୀ ବାତ୍ୟା ନେଇ ଏସଆରସି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଜି. ଉଦୟଗିରି ଭୂସ୍ଖଳନ ସ୍ଥଳରେ ନୌସେନାର 'ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍', ମାଟି ତଳେ ନିଖୋଜଙ୍କୁ ଖୋଜିବ ଅତ୍ୟାଧୁନିକ ସେନ୍ସର

ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୧୦: ରାଜ୍ୟରେ ସମ୍ପ୍ରତି ବାତ୍ୟା ‘ଅର୍ଣ୍ଣବ’ ପରେ ଘଟିଥିବା ଭୂସ୍ଖଳନ ଜନିତ ସ୍ଥିତି, ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

ଏହି ବୈଠକରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟସୂଚୀ ସମ୍ପର୍କରେ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଭୂସ୍ଖଳନ ପ୍ରଭାବିତ ପ୍ରତ୍ୟେକଟି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯାଉ ଏବଂ ମାଟି ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରାଯାଉ ବୋଲି ସେ କହିଛନ୍ତି।

ବାତ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ ସହ ଆଗାମୀ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରଶାସନର ସମସ୍ତ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହି କାର୍ଯ୍ୟ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଆଧିକାରିକ ଓ ସଠିକ୍ ତଥ୍ୟ ଯୋଗାଇ ଦିଆଯାଉ। ଅନ୍ୟପକ୍ଷରେ, ଗଣମାଧ୍ୟମ ଓ ବିଭିନ୍ନ ସୂତ୍ରରୁ ଆସୁଥିବା ତଥ୍ୟ ଓ ଖବରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଭ୍ରମାତ୍ମକ ଖବରର ନିରାକରଣ ହୋଇପାରିବ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟ ଓ ନିର୍ଭୁଲ ତଥ୍ୟ ପହଞ୍ଚିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ।

ଏହି ସମୀକ୍ଷା ବୈଠକ ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟରେ ରେଳ ବିଭାଗର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ପ୍ରଦାନ ସୁନିଶ୍ଚିତ କରାଯାଇଛି।

ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ରେଳବାଇ ସହାୟତାରେ ଚେନ୍ ପୁଲି ସିଷ୍ଟମ୍ (Chain Pulley System) ବ୍ୟବହାର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଷ୍ଟ କୋଷ୍ଟ ରେଳୱେ ପକ୍ଷରୁ ଏହି ଚେନ୍ ପୁଲି ବ୍ୟବସ୍ଥାକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜି.ଉଦୟଗିରି ଭୂସ୍ଖଳନ ସ୍ଥଳରେ ସିଧାସଳଖ କାମ କରିବା ନିମନ୍ତେ ହେଲିକପ୍ଟର ଯୋଗେ ଅତ୍ୟାଧୁନିକ ‘ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍’ (Seismic Life Detection Unit) ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ପ୍ରଯୁକ୍ତିରେ ଥିବା ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ମାଧ୍ୟମରେ ମାଟି, ପଙ୍କ କିମ୍ବା ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତକୁ ସହଜରେ ଚିହ୍ନଟ କରାଯାଇପାରିବ।

ବୈଠକର ଆଲୋଚନାରୁ ଜଣାପଡିଛି ଯେ ଘଟଣାସ୍ଥଳରେ NDRF, ODRAF, Fire ଏବଂ SOG ଭଳି ପ୍ରମୁଖ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।

ଏହି ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା, ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଜରୁରୀ ସେବାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ବିଭାଗ ଅଧିକାରୀମାନେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରୁଛନ୍ତି, ଯାହାଫଳରେ ଲୋକଙ୍କୁ ଯଥାଶୀଘ୍ର ସ୍ୱାଭାବିକ ସେବା ଯୋଗାଇ ଦିଆଯାଇପାରିବ।

ଏହାସହିତ ଆଗାମୀ ସମ୍ଭାବ୍ୟ ବାତ୍ୟା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି, ବିପଦସଙ୍କୁଳ ଅଞ୍ଚଳରୁ ଆଗୁଆ ସ୍ଥାନାନ୍ତରଣ, ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଔଷଧ ମହଜୁଦ ରଖିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରିବା ଉପରେ ସମୀକ୍ଷାରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଵିଶାଲ କୁମାର ଦେବ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ. ଏନ, ଗ୍ରାମ୍ୟ ଜଳଯୋଗାଣ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ବିଶ୍ୱାଳ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।